Categories: ବାଣିଜ୍ୟ

ନିବେଶକଙ୍କ ପସନ୍ଦ ପାଲଟୁଛି ସୁନା

ନୂଆଦିଲ୍ଲୀ, ୯-୯: ଦେଶରେ ଆର୍ଥତ୍କ ମାନ୍ଦାବସ୍ଥା ଲାଗି ରହିଥିବା ସୁନା ଏବଂ ରୁପା ଦର ବଢି ଚାଲିଛି। ବଜାରରେ ସୁନାର ଦର ବୃଦ୍ଧି ଆଗାମୀ କିଛି ସମୟ ପର୍ଯ୍ୟନ୍ତ ଲାଗି ରହିବ ବୋଲି ବଜାର ବିଶେଷଜ୍ଞ ମାନେ କହିଛନ୍ତି। ବିଶ୍ୱ ସ୍ତରରେ ମାନ୍ଦାବସ୍ଥା, ପୁଞ୍ଜି ବଜାରରେ ହ୍ରାସ ଏବଂ ପ୍ରପର୍ଟି ବଜାରର ସ୍ଥିତି ଏତେଟା ଭଲ ନ ଥିବାରୁ ସୁନାରେ ନିବେଶ କରିବାକୁ ଲୋକମାନେ ଏବେ ପସନ୍ଦ କରୁଥିବା ଜଣାପଡିଛି। ଦିପାବଳୀ ସମୟରେ ସୁନା ଦର ନୂଆ ରେକର୍ଡ କରିବା ନେଇ ବିଶେଷଜ୍ଞ ଅନୁମାନ କରିଛନ୍ତି। ଚଳିତ କ୍ୟାଲେଣ୍ଡର ବର୍ଷରେ ସୁନାରେ ନିବେଶ କରିଥିବା ବ୍ୟକ୍ତି ବିଶେଷ ୨୦%ରୁ ଅଧିକ ଲାଭ ପାଇଛନ୍ତି। ଏହା ୨୦୧୮ରେ ମାତ୍ର ୬% ରହିଥିଲା। ଗତ ବର୍ଷ ୩୧ ଡିସେମ୍ବରରେ ନୂଆଦିଲ୍ଲୀରେ ସୁନାଦର ୧୦ ଗ୍ରାମ ପିଛା ୩୨,୨୭୦ ଟଙ୍କା ରହିଥିଲା। ଏହା ବର୍ତ୍ତମାନ ୩୯,୦୦୦ ସ୍ତରରେ ରହିଛି। ସେହିଭଳି ରୁପାର ଦର କିଲୋ ପ୍ରତି ୩୯ ହଜାରୁ ୫୦ ହଜାର ଛୁଇଁଛି। ଦିଲ୍ଲୀର ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏଶନ ଅଧ୍ୟକ୍ଷ ବିମଲ ଗୋଏଲ କହିଛନ୍ତି, ମାନ୍ଦାବସ୍ଥା ଯୋଗୁ ସୁନା ଦରରେ ବୃଦ୍ଧି ଘଟୁଛି। ଏହାବାଦ ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ବିଶ୍ୱ ବଜାରର ଅନ୍ୟାନ୍ୟ ସ୍ଥିତି ଯୋଗୁ ନିବେଶକମାନେ ସୁନାରେ ନିବେଶ ଲାଗି ଆଗଭର ହେଉଥିବା ସେ ସ୍ପଷ୍ଟ କରିଛନ୍ତି। ସେହିଭଳି ଡଲାର ତୁଳନାରେ ଟଙ୍କା ମୂଲ୍ୟ କମିବା ଯୋଗୁ ସୁନା ମଜଭୁତ ହୋଇଛି। ଏଣୁ ବର୍ତ୍ତମାନ ସମୟରେ ସୁନା ନିବେଶର ଏକ ଅଭିନ୍ନ ବିକଳ୍ପ ଭାବେ ଉଭା ହୋଇଛି।

୪୨ ହଜାର ସ୍ତର ଛୁଇଁପାରେ ସୁନା
ଦୀପାବଳୀ ସମୟରେ ଦେଶରେ ସୁନାଦର ୧୦ ଗ୍ରାମ ପିଛା ୪୨ ହଜାର ଟଙ୍କା ଛୁଇଁପାରେ। ସେହିଭଳି ଚାନ୍ଦୀ କିଲୋ ପିଛା ୫୨,୦୦୦ ଟଙ୍କା ଛୁଇଁବା ନେଇ ଅନୁମାନ କରାଯାଉଛି। ଭାରତୀୟ ସରାଫା ସଂଘ ଉପାଧ୍ୟକ୍ଷ ସୁରେନ୍ଦ୍ର ଜୈନ କହିଛନ୍ତି, ଟଙ୍କା ମୂଲ୍ୟ ହ୍ରାସ ହେବାରୁ ଏହାର ପ୍ରଭାବ ସୁନା ଉପରେ ପଡୁଛି। ଦେଶର ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ପ୍ରଭାବ ଯୋଗୁ ଟଙ୍କା ମୂଲ୍ୟ ଉପରେ ଲଗାତାର ଚାପ ବଢି ଚାଲିଛି।

ବିକ୍ରି ଉପରେ ପ୍ରଭାବ
ସୁନା ଦାମ ବଢିବା ଲାଗି ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବଜାର ପ୍ରଭାବ ଦାୟୀ ବୋଲି ଅଲଇଣ୍ଡିଆ ଜେମସ ଆଣ୍ଡ ଜୁଏଲେରି ଟ୍ରେଡର୍ସ ଫେଡେରେଶନ ପୂର୍ବତନ ଅଧ୍ୟକ୍ଷ ବଛରାଜ ବମାବଲା କହିଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ଶେଷ ଆଡକୁ ସୁନା ଦର ୧୦ ଗ୍ରାମ ପିଛା ୪୧, ୫୦୦ ଟଙ୍କା ଟପିପାରେ। ସୁନା ଦର ବଢିବା ଯୋଗୁ ବିକ୍ରି ଉପରେ ଏହାର ନକରାତ୍ମକ ପ୍ରଭାବ ପଡିବା ନେଇ ସେ ଆଶଙ୍କା କରିଛନ୍ତି।

Share