Categories: ଜାତୀୟ

‘ନିବେଶ ଲାଗି ଭାରତ ସବୁଠୁ ଅନୁକୂଳ’

ଧର୍ମଶାଳା(ହି.ପ୍ର.),୮-୧୧(ପି.ଟି.):ପୁଞ୍ଜିନିବେଶ ଲାଗି ଭାରତ ଏବେ ସବୁଠୁ ଅନୁକୂଳ ଲକ୍ଷ୍ୟସ୍ଥଳ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୨୦୧୪ରୁ ୨୦୧୯ ମଧ୍ୟରେ ବିଶ୍ୱ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ (ବ୍ୟବସାୟ ଲାଗି ସହଜ ବ୍ୟବସ୍ଥା) ସୂଚକାଙ୍କରେ ଭାରତ ୭୯ ସ୍ଥାନ ଉପରକୁ ଉଠିପାରିଛି। ଶିଳ୍ପ ସଂସ୍ଥା ଲାଗି ତୃଣମୂଳ ସ୍ତରର ଆବଶ୍ୟକତାକୁ ହୃଦୟଙ୍ଗମ କରି ସରକାର ନିଷ୍ପତ୍ତି ନେଉଥିବାରୁ ପ୍ରତିବର୍ଷ ଏହି ର଼୍ୟାଙ୍କ୍‌ରେ ଉନ୍ନତି ଘଟୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ଭାରତରେ ବ୍ୟବସାୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଆମେ ଅର୍ଥନୀତିର ମୌଳିକତାକୁ ଦୁର୍ବଳ ହେବାକୁ ଦେଉ ନ ଥିବାରୁ ଭାରତ ଅର୍ଥନୀତିରେ ସୁଦୃଢ଼ ହୋଇପାରିଛି।
ପୁରୁଣା ଆଇନକୁ ରଦ୍ଦ କରିବା, ନିବେଶକମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଆଦି ଏକାଧିକ ଆର୍ଥିକ ସଂସ୍କାର ନୀତି ଗତ କିଛି ବର୍ଷ ମଧ୍ୟରେ ଗ୍ରହଣ କରାଯାଇଛି। ବ୍ୟବସାୟରେ ଇନ୍ସପେକ୍ଟର ରାଜ୍‌କୁ ହଟାଇଦିଆଯାଇଛି। ଏବେ ରାଜ୍ୟ ଅନୁମତିକୁ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
୨୦୨୫ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ପହଞ୍ଚାଇବାକୁ ହେଲେ ପ୍ରତ୍ୟେକ ରାଜ୍ୟ ଓ ଜିଲାର ସହଯୋଗ ଆବଶ୍ୟକ ବୋଲି ଗୁରୁବାର ପ୍ରଧାନମନ୍ତ୍ରୀ କହିଛନ୍ତି। ହିମାଚଳପ୍ରଦେଶକୁ ପୁଞ୍ଜି ଆକୃଷ୍ଟ କରିବା ଲାଗି ଦୁଇଦିନିଆ ବିଶ୍ୱ ନିବେଶକ ସମ୍ମିଳନୀକୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରତି ରାଜ୍ୟ ଓ ଜିଲା ସେମାନଙ୍କ ସାମର୍ଥ୍ୟ ବଳରେ ଲକ୍ଷ୍ୟ ହାସଲ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବେ। ପୂର୍ବ ଅବସ୍ଥା ଏବେ ନାହିଁ। ବର୍ତ୍ତମାନ ରାଜ୍ୟଗୁଡ଼ିକ ପୁଞ୍ଜି ଆକୃଷ୍ଟ କରିବା ଲାଗି ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ହିମାଚଳପ୍ରଦେଶରେ ପର୍ଯ୍ୟଟନ, ଔଷଧ ଓ ଅନ୍ୟ ସେକ୍ଟରରେ ପୁଞ୍ଜିନିବେଶ ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ହିମାଚଳପ୍ରଦେଶ ସରକାର ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମ୍ମିଳନୀରେ ୨୦୦ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ ୧୭୦୦ରୁ ଅଧିକ ବ୍ୟବସାୟ ପ୍ରତିନିଧି ଯୋଗଦେଇଥିଲେ।

Share