Categories: ଖେଳ

ନିମପୁର କୋଚିଂ କ୍ଲିନିକ୍‌ ୨୫ରୁ

କଟକ ଅଫିସ,୧୬ା୫:  ଏମଏସ୍‌ ଧୋନୀ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ଦେଶର ୨୦ଟି ସହରରେ କ୍ରିକେଟ କୋଚିଂ କ୍ଲିନିକ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୫ରୁ ୩୧ ପର୍ଯ୍ୟନ୍ତ ସ୍ଥାନୀୟ ନିମପୁର ଗ୍ରାଉଣ୍ଡରେ ଏହି କ୍ଲିନିକ ଆୟୋଜନ କରାଯିବ। ବୁଧବାର ଏ ନେଇ ନିମପୁର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ଖବରଦାତା ସମ୍ମିଳନୀ ହୋଇଥିଲା। ଏକାଡେମୀର ମୁଖ୍ୟ ଅପରେଟର ସୋହେଲ ରଫ୍‌ ଉପସ୍ଥିତ ରହି କ୍ରିକେଟ କୋଚିଂ କ୍ଲିନିକର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏମଏସ୍‌ ଧୋନୀ କ୍ରିକେଟ ଏକାଡେମୀ ଅର୍କ ସ୍ପୋର୍ଟସର ଏକ ଅନୁଷ୍ଠାନ। ଧୋନୀଙ୍କ ବାଲ୍ୟବନ୍ଧୁ ମିହିର ଦିୱାକର ହେଉଛନ୍ତି ଅର୍କ ସ୍ପୋଟର୍‌ସର ପ୍ରତିଷ୍ଠାତା। ମିହିର ଭାରତୀୟ ୧୯ବର୍ଷରୁ କମ ବିଶ୍ୱକପ ବିଜେତା ଦଳର ଖେଳାଳି ମଧ୍ୟ ଥିଲେ। ଧୋନୀଙ୍କ ପରାମର୍ଶରେ ଉକ୍ତ ଏକାଡେମୀ ଚାଲିଛି। ନିମପୁରରେ ହେବାକୁ ଥିବା କ୍ରିକେଟ କୋଚିଂ କ୍ଲିନିକରେ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ର ଲେଭଲ-୩ କୋଚ୍‌ ସତ୍ୟଜିତ ଲହିରୀ ଓ ମନଦାର ଦଲିଭି ପ୍ରଶିକ୍ଷଣ ଦେବେ। ସତ୍ୟଜିତ ଓ ମନଦାର ଏମଏସ୍‌ ଧୋନୀ କ୍ରିକେଟ ଏକାଡେମୀର ମୁଖ୍ୟ କୋଚ୍‌। ୭ ଦିନର କ୍ଲିନିକ ନିମନ୍ତେ ୫ହଜାର ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି। ୨୨ବର୍ଷରୁ କମ୍‌ ବୟସର ଖେଳାଳିମାନେ କେବଳ ପ୍ରଶିକ୍ଷଣ ନେଇ ପାରିବେ। ଏକାଡେମୀ ପକ୍ଷରୁ ପ୍ରଶିକ୍ଷାର୍ଥୀଙ୍କୁ ଜର୍ସି ଓ ଟୋପି ଦିଆଯିବ। ବିଭିନ୍ନ ବୟସ ବର୍ଗରେ ଅତ୍ୟାଧୁନିକ ଶୈଳୀରେ ଏଠାରେ ପ୍ରଶିକ୍ଷଣ ଦିଆଯିବ। ସମସ୍ତ ଟ୍ରେନିଂର ଭିଡ଼ିଓ ରେକର୍ଡିଂ କରାଯିବା ସହ ଭିଡ଼ିଓ ଆନାଲିସିସ ମାଧ୍ୟମରେ କେଉଁଠାରେ ତ୍ରୁଟି ରହୁଛି ତାହାକୁ ପ୍ରଥମେ ଠାବ କରାଯିବ ଏବଂ ସେହି ଅନୁସାରେ ଶିବିରାର୍ଥୀଙ୍କୁ ଶିକ୍ଷା ଦିଆଯିବ ବୋଲି ଏକାଡେମୀର ମୁଖ୍ୟ ଅପରେଟର ରଫ୍‌ କହିଛନ୍ତି। ଏହାଛଡ଼ା ସମସ୍ତ ପ୍ରଶିକ୍ଷାର୍ଥୀଙ୍କ ନିମନ୍ତେ ସ୍ବତନ୍ତ୍ର ଫିଜିକାଲ ଫିଟନେସ ଓ ଡାଏଟ ପ୍ଲାନ ଯୋଗାଇ ଦିଆଯିବ। ଶିବିର ସରିବା ପରେ ମଧ୍ୟ ଏହାକୁ କିପରି ଜାରି ରଖିବେ ତାହା ଉପରେ ଧ୍ୟାନ ଦିଆଯିବ ବୋଲି ରଫ କହିଥିଲେ। ମୋବାଇଲରେ ଏକ ଆପ୍ଲିକେଶନ ମାଧ୍ୟମରେ ନାମପଞ୍ଜୀକରଣ କରି ପ୍ରଶିକ୍ଷଣ ନେଇଥିବା ଖେଳାଳିମାନଙ୍କ ସହ ଯୋଗାଯୋଗ ରକ୍ଷା କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଏତଦବ୍ୟତୀତ ଆଗାମୀ ଦିନରେ ଏକାଡେମୀ ପକ୍ଷରୁ ଖେଳାଳି ଚୟନ କରାଯିବା ବେଳେ କ୍ରିକେଟ କୋଚିଂ କ୍ଲିନିକରେ ଭାଗ ନେଇଥିବା ପ୍ରଶିକ୍ଷାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ରଫ କହିଛନ୍ତି। ଏକାଡେମୀର ଓଡ଼ିଶା ମ୍ୟାନେଜର ବିଭୂ ଶତପଥୀ ଉପସ୍ଥିତ ରହି ଏହି କ୍ରିକେଟ କୋଚିଂ କ୍ଲିନିକ ଯୋଗୁ ରାଜ୍ୟରେ କ୍ରିକେଟ ପ୍ରତିଭା କିପରି ବିକଶିତ ହେବ ସେ ଦିଗରେ ଆଲୋକପାତ କରିଥିଲେ। ସୂଚନା ଥାଉକି, ଜୁନ ୨ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି କ୍ରିକେଟ କୋଚିଂ କ୍ଲିନିକ ଭୁବନେଶ୍ୱରର ସିଭି ରମଣ ଇଞ୍ଜିନିୟରିଂ କଲେଜ ଗ୍ରାଉଣ୍ଡରେ ମଧ୍ୟ ହେବ।

Share