ନିମାପଡ଼ା,୨୪ା୫(ଡି.ଏନ.ଏ): ମହାମାରୀ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ନିମାପଡ଼ା କଲେଜ ନିକଟରେ ସରକାରୀ ପକ୍ଷରୁ ଖୁବଶୀଘ୍ର ବ୍ଲକସ୍ତରୀୟ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ। ଏଥିନିମନ୍ତେ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ(ଏଡିଏମ୍) ବିନୟ ଦାସ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିଭୁ ପ୍ରସାଦ ମହାନ୍ତି, ନିମାପଡ଼ା ବିଡିଓ ମନୋଜ କୁମାର ବେହେରା, ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ନିମାପଡ଼ା ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀ ଡା.କ୍ଷମାନିଧି ସେଠୀ, ଚାରିଛକ ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରଶାନ୍ତ କୁମାର ସାମନ୍ତରାୟ ସମେତ ବହୁ ପଦାଧିକାରୀ ଶନିବାର କେୟାର ସେଣ୍ଟର ନିମନ୍ତେ ସ୍ଥାନ ନିରୂପଣ କରି ଭିତ୍ତିଭୂମି ପରଖିଥିଲେ। ଏହା ୮୦ ଶଯ୍ୟା ବିଶିଷ୍ଟ ହେବାକୁ ଥିବାବେଳେ ଥଣ୍ଡା, ଜ୍ୱର, ଛିଙ୍କ, କାଶ ଥିବା ଲୋକଙ୍କ କୌଣସି ଲକ୍ଷଣ ଦେଖାଗଲେ ଏଠାରେ ଚିକିତ୍ସିତ ହେବେ। ଏଥି ନିମନ୍ତେ ସରକାରଙ୍କ ପକ୍ଷରୁ ସେଣ୍ଟରରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପାରା ମେଡିକାଲ କର୍ମଚାରୀମାନେ ନିଯୁକ୍ତ ହେବେ ବୋଲି ନିଷ୍ପତ୍ତି ହୋଇଛି। ଏହି ସେଣ୍ଟର ପ୍ରତିଷ୍ଠା ନିମନ୍ତେ ସରକାର ତଥା ପୁରୀ ଜିଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି।