ନିମ୍ନମାନର ଖାଦ୍ୟ ଯୋଗାଣ ଅଭିଯୋଗ : ହଷ୍ଟେଲ ଛାଡ଼ିଲେ ୪୮ ଛାତ୍ରୀ

ରାମନାଗୁଡ଼ା/ଗୁଣପୁର,୫ା୮(ଡି.ଏନ.ଏ.) : ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ନାଇରା ଆଶ୍ରମ ବିଦ୍ୟାଳୟର ୪୮ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯାଇଛନ୍ତି। ନିମ୍ନମାନର ଖାଦ୍ୟ ପ୍ରଦାନ ଓ ସହାକରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ହଷ୍ଟେଲ ଛାଡ଼ିଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି। ସେମାନେ ସହକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ ବଦଳି ଦାବି କରିଥିଲେ। ଶେଷରେ ପିଲାମାନଙ୍କ ଜିଦ୍‌ ଆଗରେ ପ୍ରଶାସନ ମୁଣ୍ଡ ନୁଆଇଥିଲା। ସହକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଡେପୁଟେଶନରେ ପଠାଇବା ପରେ ଛାତ୍ରୀମାନେ ହଷ୍ଟେଲକୁ ଫେରିଥିଲେ।
ରବିବାର ଅପରାହ୍ନ ୨ଟାରେ ସମସ୍ତ ଅନ୍ତେବାସୀ ହଷ୍ଟେଲ ଛାଡ଼ିଥିଲେ। ସେମାନେ ପ୍ରାୟ ୬ କିମି ଚାଲି ଚାଲି ଚକ୍ରଗୁଡ଼ା ଗ୍ରାମରେ ପହଞ୍ଚତ୍ଥିଲେ। ନାଇରା ସରପଞ୍ଚ ତୁଳସୀ ଶବର ସେମାନଙ୍କୁ ଦେଖି ପଚରାଉଚରା କରିଥିଲେ। ସବୁ ସମସ୍ୟା ଶୁଣିବା ପରେ ସରପଞ୍ଚ ସେମାନଙ୍କୁ ବୁଝାଶୁଝା କରି ହଷ୍ଟେଲ ଫେରିଯିବାକୁ ଚେଷ୍ଟା କରିଥିଲେ। ହେଲେ ପିଲାମାନେ ହଷ୍ଟେଲକୁ ଫେରିବାକୁ ଅରାଜି ହୋଇଥିଲେ। ସରପଞ୍ଚ ଛାତ୍ରୀମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆଣିଥିଲେ। ଖବରପାଇ ଜିଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ, ଆଇଟିଡ଼ିଏର ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗ,ବିଇଓ ପ୍ରସନ୍ନ ନାୟକ, ସହକାରୀ ଜିଲା ମଙ୍ଗଳ ଅଧିକାରୀ ବିଦ୍ୟାଭୂଷଣ ମହାନ୍ତି, ପଦ୍ମପୁର ତହସିଲଦାର ନୀଳମାଧବ ମାଝି, ଡବ୍ଲ୍ୟୁଇଓ ଅସୀମା ରାଓ ପ୍ରମୁଖ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଛି। ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ମିନାକ୍ଷୀ ବାରିକ ସେମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି। ଏଣୁ ତୁରନ୍ତ ତାଙ୍କୁ ବଦଳି କରାଯାଉ ବୋଲି ଛାତ୍ରୀମାନେ ଦାବି କରିଆସୁଥିଲେ ମଧ୍ୟ କେହି ସେମାନଙ୍କ କଥାକୁ ଗୁରୁତ୍ୱ ଦେଉନାହାନ୍ତି ା ତେଣୁ ବାଧ୍ୟ ହୋଇ ହଷ୍ଟେଲ ଛାଡ଼ିଲୁ ବୋଲି ଛାତ୍ରୀମାନେ ଅଭିଯୋଗ କରିଥିଲେ। ଶେଷରେ ଛାତ୍ରୀମାନଙ୍କ ଦାବି ଆଗରେ ପ୍ରଶାସନକୁ ମୁଣ୍ଡ ନୁଆଇବାକୁ ପଡ଼ିଥିଲା। ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ବାରିକଙ୍କୁ ଡେପୁଟେଶନରେ ଅନ୍ୟତ୍ର ବଦଳି କରାଯାଇଥିଲା। ପରେ ୪୭ ଛାତ୍ରୀ ହଷ୍ଟେଲକୁ ଫେରିଥିଲେ। ଆଉ ଜଣେ ଛାତ୍ରୀ ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମକୁ ଚାଲିଯାଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରେ ନିମ୍ନମାନର ଖାଦ୍ୟ ଯୋଗାଣ ପ୍ରତିବାଦରେ ଛାତ୍ରୀମାନେ ଦୁଇ ଦିନ ଧରି ଭୋକ ଉପବାସରେ ଆନ୍ଦୋଳନ ଚଳାଇଥିଲେ।

Share