Advertisement

ନିମ୍ନମାନର ଚାଉଳ ବଣ୍ଟନ: ହିତାଧିକାରୀ ଫେରାଇଲେ

ଲୋଇସିଂହା,୧୯।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା ପଞ୍ଚାୟତ କାର୍ଯ୍ୟାଳୟରେ ପିଡିଏସ୍‌ ଚାଉଳ ହିତାଧିକାରୀଙ୍କୁ ଗୁରୁବାର ବଣ୍ଟନ କରାଯାଉଥିଲା। ପିଡିଏସ୍‌ ଚାଉଳ ନିମ୍ନମାନର ଜାଣିବା ପରେ ହିତାଧିକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ପଞ୍ଚାୟତ କର୍ତ୍ତୃପକ୍ଷ ବଣ୍ଟନ ଚାଉଳକୁ ଫେରାଇ ନେବା ସହ ବଣ୍ଟନ କାର୍ଯ୍ୟକ୍ରମକୁ ବନ୍ଦ ରଖିଥିଲେ। ପ୍ରାପ୍ତମତେ, ଗୁରୁବାରଠାରୁ ଲୋଇସିଂହା ପଞ୍ଚାୟତ କାର୍ଯ୍ୟାଳୟରେ ପିଡିଏସ ଚାଉଳ ବଣ୍ଟନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଲୋଇସିଂହା ବସ୍ତିର ହିତାଧିକାରୀ ଆସି ଚାଉଳ ନେଇଥିଲେ। ହେଲେ କେତେକ ହିତାଧିକାରୀ ପ୍ୟାକେଟ ଖୋଲିବା ପରେ ଲାଲ ଓ ଧଳା ବର୍ଣ୍ଣର ମିଶ୍ରିତ ଚାଉଳ ବାହାରି ଥିଲା। ଏପରିକି କେତେକଙ୍କ ପ୍ୟାକେଟରୁ ଦୁଗର୍ନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ। ହିତାଧିକାରୀମାନେ ବିଡିଓ ରାମଚନ୍ଦ୍ର ଖାଡିଆଙ୍କୁ ଉକ୍ତ ଚାଉଳ ଦେଖାଇଥିଲେ। ହେଲେ ବିଡିଓ କାର୍ଯ୍ୟାଳୟରେ ନଥିବାରୁ ଫେରି ଆସି ବ୍ଲକ ସହକାରୀ ଯୋଗାଣ ଅଧିକାରୀ ସୌମ୍ୟ ମହାନନ୍ଦଙ୍କୁ ଚାଉଳ ଦେଖାଇଥିଲେ। ଯୋଗାଣ ଅଧିକାରୀ ନିମ୍ନମାନର ଚାଉଳ ହୃଦବୋଧ କରି ବଣ୍ଟନ ଚାଉଳ ଫେରସ୍ତ ରଖିବାକୁ ପଞ୍ଚାୟତ ଯୋଗାଣ ସହାୟକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଷ୍ଟକ ଚାଉଳ ବଣ୍ଟନ ବନ୍ଦ କରିବାକୁ କହିଥିଲେ। ଚଳିତ ଥର ଆସିଥିବା ଚାଉଳକୁ ଫେରସ୍ତ କରି ନୂଆ ଚାଉଳ ଆସିଲା ପରେ ବଣ୍ଟନ କରାଯିବ ବୋଲି ବ୍ଲକ ସହକାରୀ ଯୋଗାଣ ଅଧିକାରୀ ମହାନନ୍ଦ କହିଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share