ନିମ୍ନମାନର ମଧ୍ୟାହ୍ନଭୋଜନ: ଖାଉନାହାନ୍ତି ଛାତ୍ରୀ

କବିସୂର୍ଯ୍ୟନଗର,୧୧ା୯- କବିସୂର୍ଯ୍ୟନଗର ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସରକାର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଦେଉଥିବାବେଳେ ଏଠାରେ ଛାତ୍ରୀମାନେ ଘରୁ ଆଣି ଖୋଲା ପଡିଆରେ ବସି ଖାଉଛନ୍ତି। ମୋଟ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୫୯୭ ଜଣ ଛାତ୍ରୀ ଏଠାରେ ପଢୁଛନ୍ତି। ସେଥିମଧ୍ୟରୁ ୨୦୨ ଜଣ ଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇଥାଏ। ମଙ୍ଗଳବାର ୧୨୩ ଛାତ୍ରୀ ଉପସ୍ଥାନ ରହିଥିବାବେଳେ ଚାଉଳ ମାତ୍ର ୪ କେଜି, ସୋୟାବିନ୍‌ ୧ କେଜି ରୋଷେଇ ହୋଇଥିବା ଦେଖିବାକୁ ମିଳିଥିଲା। ୭୦ ଭାଗ ଛାତ୍ରୀ ଘରୁ ଆଣି ଖାଉଥିଲେ। ଏନେଇ କେତେଜଣ ଛାତ୍ରୀଙ୍କୁ ପଚାରିବାରୁ ମଧ୍ୟାହ୍ନ ଭୋଜନ ଅତି ନିମ୍ନମାନର, ଭାତରେ ଗୋଡ଼ି, ଧାନ ବାହାରୁଛି। ଆଉ କେତେଜଣ ଛାତ୍ରୀ ଟାଣଭାତ ବୋଲି କହିଥିଲେ। ଆବଶ୍ୟକ ଠାରୁ କମ୍‌ ତେଲ, ପରିବା ହେତୁ ତରକାରୀ ସ୍ବାଦହୀନ ହେଉଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏନେଇ ପ୍ରଧାନ ଶିକ୍ଷକ କମଳଲୋଚନ ସାହୁ କହିଛନ୍ତି, ପୂର୍ବ ଅପେକ୍ଷା ଭଲ ଖାଦ୍ୟ ଦିଆଯାଉଛି। ରୁଚି ଅନୁଯାୟୀ ଛାତ୍ରୀମାନେ ଘରୁ ଖାଦ୍ୟ ଆଣି ଖାଇଲେ ଆମେ କଣ କରିବୁ ବୋଲି କହିଥିଲେ। ଏନେଇ ଛୁଟିରେ ଥିବା ବିଇଓ ନିରଞ୍ଜନ ମିଶ୍ରଙ୍କୁ ଫୋନ ଯୋଗେ ପଚାରିବାରୁ ୨/୩ ଦିନ ପରେ ଗଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବି ବୋଲି କହିଥିଲେ। ବହୁ ଛାତ୍ରୀ ଓ ଅଭିଭାବକ ଗ୍ରୁପ ଚଳାଉଥିବା ବ୍ୟକ୍ତିଙ୍କୁ ଦାୟୀ କରି ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି।

Share