Categories: ଗଞ୍ଜାମ

ନିମ୍ନମାନର ମାସ୍କ ବଣ୍ଟନକୁ ନେଇ ଏନ୍‌ଏସି କାର୍ଯ୍ୟାଳୟରେ ହୋ-ହଲ୍ଲା

ଦିଗପହଣ୍ଡି,୧୬ା୫(ଡି.ଏନ.ଏ.)- ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପକ୍ଷରୁ ନିମ୍ନମାନର ମାସ୍କ ବଣ୍ଟନକୁ କେନ୍ଦ୍ରକରି ଶନିବାର ଉତ୍ତେଜନା ପ୍ରକାଶ ପାଇଛି। ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ପୂର୍ବତନ କାଉନ୍‌ସିଲର ରସାନନ୍ଦ ରାଉତ ପ୍ରମୁଖ ବହୁ ଅଞ୍ଚଳବାସୀ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ କାର୍ଯ୍ୟାଳୟରେ ପଶି ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ତଦନ୍ତ ଦାବିରେ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ହାତପାଣ୍ଠିରୁ ମାସ୍କ, ସାବୁନ ବଣ୍ଟନ ପାଇଁ ପ୍ରତି ୱାର୍ଡ ପିଛା ୨୦ ହଜାର ଟଙ୍କା ଅନୁଦାନ ମଞ୍ଜୁର କରିଥିଲେ ମଧ୍ୟ ଏଥିରେ ଅନିୟମିତତା ହୋଇଛି। ସେହିପରି କ୍ବାରାଣ୍ଟାଇନ ସେଣ୍ଟର ଗୁଡ଼ିକୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ସାମଗ୍ରୀ ଅତି ନିମ୍ନମାନର ବୋଲି ସେମାନେ ଅଭିଯୋଗ କରିଥିଲେ। ଏନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସମସ୍ତ ଅଭିଯୋଗ ମିଥ୍ୟା ଓ ନିରାଧାର। ପଞ୍ଜିକୃତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କ ଠାରୁ ୨୦ ଟଙ୍କା ଲେଖାଏରେ ମାସ୍କ କିଣାଯାଇଛି। ପ୍ରତି ୱାର୍ଡରେ ଅଙ୍ଗନଓ୍ବାଡ଼ି କର୍ମୀ ଓ ଏନ୍‌ଏସି କର୍ମଚାରୀଙ୍କ ଦ୍ୱାରା ମାସ୍କ, ସାବୁନ ଲୋକଙ୍କୁ ବଣ୍ଟନ କରାଯାଉଛି। କରୋନା ମୁକାବିଲା ନିମନ୍ତେ ସମସ୍ତ ବ୍ୟୟ ମଞ୍ଜୁରୀ ଅର୍ଥରାଶିର ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଦାବି କରିଛନ୍ତି।