ନିମ୍ନମାନର ରାସ୍ତା କାମକୁ ବିରୋଧ: ଯନ୍ତ୍ରୀ ମାନିଲେ, ବନ୍ଦ ହେଲା କାମ

କାମାକ୍ଷାନଗର, ୨୩।୧୦(ଡି.ଏନ୍‌.ଏ.) : ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାରୁଆ(କା) ପଞ୍ଚାୟତ ପୂର୍ତ୍ତ ବିଭାଗ ରାସ୍ତାଠାରୁ ଇଚ୍ଛାବତୀପୁର ଯାଏ ଚାଲିଥିବା ରାସ୍ତାକାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଏହାକୁ ନେଇ ପ୍ରତିବାଦର ସ୍ବର ଉଠିବା ପରେ ବିଭାଗୀୟ ଯନ୍ତ୍ରୀ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗ୍ରାମ୍ୟ ଉନ୍ନୟନ ବିଭାଗ ଅନୁଦାନରେ ମଙ୍ଗଳବାରଠାରୁ ଏହି ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି। ୨କିମି ବିଶିଷ୍ଟ ଉକ୍ତ ରାସ୍ତା ଲାଗି ବ୍ୟୟ ଅଟକଳ ରହିଛି ୧ କୋଟି ଟଙ୍କା। ପୁରୁଣା ବାଇସିଂହା ଗ୍ରାମ ନିକଟରେ କାମ ଚାଲିଥିବା ବେଳେ ଭାଗମାପ ଠିକ୍‌ ନ ଥିବା ନେଇ ଗ୍ରାମବାସୀ କନିଷ୍ଠ ଯନ୍ତ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ମିକ୍ସର ମେଶିନରେ ଗୋଳାଯାଉଥିବା ବାଲି, ଗୋଡି ଓ ସିମେଣ୍ଟ ଭାଗମାପ ଠିକ ନ ଥିବା ସମ୍ପର୍କିତ ଭିଡିଓ ଉତ୍ତୋଳନ କରି ଦେଖାଇଥିଲେ। ଠିକାସଂସ୍ଥା ପକ୍ଷରୁ ୧୦୦ ମିଟର କାମ ହୋଇଥିଲା। ପ୍ରତିବାଦ ପରେ ଏହାକୁ ବନ୍ଦ ରଖାଯାଇଛି।
ଏ ନେଇ ଯନ୍ତ୍ରୀ କୁହନ୍ତି, ୪ ଇଞ୍ଚ କଂକ୍ରିଟ ରାସ୍ତା ପରିବର୍ତ୍ତେ ୬ ଇଞ୍ଚର ରାସ୍ତା କରିବାକୁ ଗ୍ରାମବାସୀ କହୁଛନ୍ତି। ମଙ୍ଗଳବାର କାମ ଆରମ୍ଭ ବେଳେ ସେ ଉପସ୍ଥିତ ଥିଲେ। ବୁଧବାର ପହଞ୍ଚତ୍ବା ବେଳକୁ ସାମାନ୍ୟ ବିଳମ୍ବ ହୋଇଥିଲା। ଏହି ସମୟରେ କାମ ଏପଟ ସେପଟ ହୋଇଥାଇପାରେ। ଲୋକଙ୍କ ବିରୋଧ ପରେ କାମ ବନ୍ଦ କରାଯାଇଛି। ଆଗକୁ ଯେପରି ନିୟମ ଅନୁଯାୟୀ କାମ ହେବ ସେଥିଲାଗି ଦୃଷ୍ଟି ଦେବାକୁ ଠିକା ସଂସ୍ଥାକୁ କୁହାଯାଇଛି।
ରାସ୍ତାକାମ୍‌ ଠିକ୍‌ଭାବେ ନ ହେଲେ ଆନ୍ଦୋଳନ କରାଯିବ ବୋଲି ସମିତିସଭ୍ୟ ଦୀପକ ମାହୁନ୍ତ, ପ୍ରଦୀପ ବେହେରା, ହାଡ଼ିବନ୍ଧୁ ବେହେରା, କାହ୍ନୁଚରଣ ବେହେରା, ଆର୍ତ୍ତ ରାଉଳ, ନାରାୟଣ ରାଉଳ, ଚକ୍ରଧର ବେହେରା, କାଳୀଚରଣ ବେହେରା, ଚିରଞ୍ଜିବୀ ମଲ୍ଲିକ ପ୍ରମୁଖ ଚେତାବନୀ ଦେଇଛନ୍ତି।

Share