ନିମ୍ନ ମାନର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ

ଦାରିଙ୍ଗବାଡି, ୧୨ା୯ (ଅରୁଣ ସାହୁ):ଲଘୁଚାପଜନିତ ଲଗାଣ ବର୍ଷାରେ ମଙ୍ଗଳବାର ଦାରିଙ୍ଗବାଡିରେ ନିର୍ମାଣାଧୀନ ରାସ୍ତା ଧୋଇହୋଇଯାଇଛି। ନିମ୍ନ ମାନର କାର୍ଯ୍ୟ ଯୋଗୁ ରାସ୍ତା ଧୋଇ ହୋଇଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦାରିଙ୍ଗବାଡିଠାରୁ ପାଣିଗଣ୍ଡା ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଚାରି ଛକଠାରୁ ପ୍ଳିହେରି ଓ ବ୍ରାହ୍ମଣୀଗାଁଠାରୁ ପାଣିଗଣ୍ଡା ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଲଘୁଚାପଜନିତ ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ମାତ୍ର ଘଣ୍ଟାଏ ବର୍ଷାରେ ରାସ୍ତାରୁ ଗୋଡ଼ି ଉଠିଯିବାରୁ ଯାତାୟାତ ସମସ୍ୟା ଦେଖାଯାଇଛି। ରାସ୍ତା ଧୋଇହୋଇ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ଦାରିଙ୍ଗବାଡି ବସ ଷ୍ଟାଣ୍ଡ ନିକଟ କଲେଜ ରାସ୍ତା ଏଭଳି ଧୋଇ ହୋଇଯାଇଛି। ସେହିପରି ତହସିଲ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରେ ମଧ୍ୟ ରାସ୍ତା ଧୋଇ ହୋଇଯାଇଛି। ଫଳରେ କାର୍ଯ୍ୟାଳୟକୁ ଲୋକ ଆସି ହଇରାଣ ଭୋଗିବା
ସହ କାର୍ଯ୍ୟାଳୟ କର୍ମଚାରୀ ଓ ଅଧିକାରୀମାନେ ମଧ୍ୟ ହଇରାଣ ହୋଇଛନ୍ତି। ନିମ୍ନ ମାନର କାର୍ଯ୍ୟ କରାଯିବା ସହ ଦୀର୍ଘଦିନ ହେଲା ସମ୍ପ୍ରସାରଣ କାର୍ଯ୍ୟ କରାଯାଉ ନ ଥିବାରୁ ସ୍ଥାନୀୟ ଲୋକ
ବହୁ ହଇରାଣ ଭୋଗୁଛନ୍ତି।

Share