ନିଯୁକ୍ତିରେ ନୈରାଶ୍ୟ

ରାୟଗଡ଼ାରେ ବର୍ଷକୁ ପ୍ରାୟ ୧୦ ହଜାର ଶିକ୍ଷିତ ଯୁବତୀ ଯୁବକ ବାହାରୁଛନ୍ତି। ଏହାସହ ପାଠ ପଢ଼ି ନ ଥିବା କିମ୍ବା ଅଧାରୁ ପାଠ ଛାଡ଼ିଥିବା ଯୁବପିଢ଼ିଙ୍କ ସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ। ଏଭଳି ପରିସ୍ଥିତିରେ ରାୟଗଡ଼ା ଜିଲା ନିୟୋଜନ କାର୍ଯ୍ୟାଳୟର ତଥ୍ୟ ଉପରେ ଦୃଷ୍ଟି ପକାଇଲେ ନିରାଶ ହେବାକୁ ପଡ଼ିବ। ଗତ ୫ ବର୍ଷରେ ଜିଲାରେ ନିଯୁକ୍ତି ସମ୍ପର୍କିତ ଚିତ୍ର ନୈରାଶ୍ୟଜନକ। ୨୦୧୫ରେ ରାୟଗଡ଼ା ନିୟୋଜନ କାର୍ଯ୍ୟାଳୟରେ ୨୧୩୮ ଜଣ ଶିକ୍ଷିତ ଯୁବତୀଯୁବକ ନାମ ପଞ୍ଜୀକରଣ କରିଥିଲେ। ସେଥିରୁ କେବଳ ୧୪୪ ଜଣଙ୍କୁ ନିଯୁକ୍ତି ମିଳିଥିଲା। ସେହିପରି ଗୁଣପୁର ଉପଖଣ୍ଡ ନିୟୋଜନ କାର୍ଯ୍ୟାଳୟରେ ୧୭୮୯ ଜଣ ପଞ୍ଜୀକରଣ କରିଥିବା ବେଳେ ସେଥିରୁ ମାତ୍ର ୩ ଜଣ ନିଯୁକ୍ତି ସୁଯୋଗ ପାଇଥିଲେ। ୨୦୧୬ରେ ରାୟଗଡ଼ାରେ ୧୭୨୧ ଜଣ ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ ୧୨୫ ଜଣଙ୍କୁ ନିଯୁକ୍ତି ମିଳିଥିଲା। ଗୁଣପୁରରେ ୧୨୬୫ ଜଣ ପଞ୍ଜୀକୃତ ହୋଇଥିବା ବେଳେ ୯୬ ଜଣ ନିଯୁକ୍ତି ପାଇଥିଲେ। ୨୦୧୭ରେ ୧୮୮୬ ଜଣ ରାୟଗଡ଼ା ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକୃତ ହୋଇଥିବା ବେଳେ ୬ ଜଣଙ୍କୁ ନିଯୁକ୍ତି ମିଳିଥିଲା। ଗୁଣପୁରରେ ୧୬୬୫ ଜଣ ପଞ୍ଜୀକୃତ ହୋଇଥିଲେ ମଧ୍ୟ ମାତ୍ର ଜଣେ ନିଯୁକ୍ତି ପାଇଥିଲେ। ୨୦୧୮ରେ ରାୟଗଡ଼ାରେ ୧୭୨୧ ନୂତନ ଯୁବତୀ ଯୁବକ ନାମ ପଞ୍ଜୀକୃତ କରିଥିବା ବେଳେ ସେଥିରୁ ମାତ୍ର ୫ ଜଣଙ୍କୁ ନିଯୁକ୍ତି ମିଳିଥିଲା। ଗୁଣୁପୁରରେ ପଞ୍ଜୀକୃତ ୧୭୫୦ ଜଣଙ୍କ ମଧ୍ୟରୁ ୩ ଜଣ ଚାକିରି ପାଇଥିଲେ। ୨୦୧୯ରେ ରାୟଗଡ଼ାରେ ୧୪୫୮ ଓ ଗୁଣପୁରରେ ୧୩୯୮ ଜଣ ପଞ୍ଜୀକୃତଙ୍କ ମଧ୍ୟରୁ ଜଣଙ୍କୁ ବି ନିଯୁକ୍ତି ମିଳି ନ ଥିଲା। ଏହିପରି ଗତ ୫ ବର୍ଷରେ ଜିଲାରେ ସମୁଦାୟ ପଞ୍ଜୀକୃତ ୧୬୭୯୧ ଜଣଙ୍କ ମଧ୍ୟରୁ ମାତ୍ର ୪୧୩ ଜଣ ନିଯୁକ୍ତି ପାଇଛନ୍ତି। ହଜାର ହଜାର ଶିକ୍ଷତ ଯୁବତୀ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ନାହିଁ। ଅପାଠୁଆ ବେକାରଙ୍କ ତଥ୍ୟ କାହା ପାଖରେ ନାହିଁ। ଏଥିରୁ ଜିଲାରେ ନିଯୁକ୍ତି ହାର କେତେ ଉଦ୍‌ବେଗଜନକ, ତାହା ସ୍ପଷ୍ଟ। ସରକାରୀ ଓ ଘରୋଇ କ୍ଷେତ୍ରରେ ଚାକିରି ନାହିଁ। ବ୍ୟବସାୟ ପାଇଁ ମୂଳଧନ ନାହିଁ କି ବ୍ୟାଙ୍କ ଋଣ କିମ୍ବା ସରକାରୀ ଆର୍ଥତ୍କ ପ୍ରୋତ୍ସାହନ ମିଳୁନାହିଁ। ଉପାନ୍ତ ରାୟଗଡ଼ା ଜିଲାର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ନିଯୁକ୍ତି ଚିତ୍ର ଅତ୍ୟନ୍ତ ଶୋଚନୀୟ। ତେଣୁ ଯୁବତୀ ଯୁବକ ବାହାର ରାଜ୍ୟକୁ କାମ ସନ୍ଧାନରେ ଯାଇ ଶୋଷଣର ଶିକାର ହେଉଛନ୍ତି, ନଚେତ୍‌ ଅପରାଧରେ ଲିପ୍ତ ରହୁଛନ୍ତି। ଜିଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ଉପରେ ବୁଦ୍ଧିଜୀବୀମାନେ ଗୁରୁତ୍ୱାରୋପ କରିଛନ୍ତି।