ନିଯୁକ୍ତି ଦାବିରେ କାରଖାନା ଆଗରେ ଧାରଣା

ଖୁଣ୍ଟୁଣୀ,୧୮ା୧( ଡି.ଏନ.ଏ .): ଖୁଣ୍ଟୁଣୀ ଥାନା ଅଧୀନ ରାଧାଶ୍ୟାମପୁରଠାରେ ପ୍ରତିଷ୍ଠିତ ଏକ ସିମେଣ୍ଟ କାରଖାନାକୁ ଜମି ଦେଇ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ପାଇ ନ ଥିବା ୪୦ରୁ ଊର୍ଦ୍ଧ୍ୱ ପରିବାର ଶୁକ୍ରବାର କାରଖାନାର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଥିଲେ। ଫଳରେ ସକାଳ ୮ଟାରୁ କାରଖାନାକୁ କାମ କରିବାକୁ ଆସୁଥିବା କର୍ମଚାରୀ ଓ ଶ୍ରମିକମାନେ ପ୍ରବେଶ କରି ନ ପାରି ଫେରିଯିବାରୁ ଦିନତମାମ ବନ୍ଦ ରହିଥିଲା। ସୂଚନାଯୋଗ୍ୟ, ଏହି କାରଖାନାଟି ହେବା ପୂର୍ବରୁ ଜନଶୁଣାଣି ଦ୍ୱାରା ଘଣ୍ଟିଖାଲ ଓ ରାଧେଶ୍ୟାମପୁର ଗ୍ରାମର ଲୋକମାନଙ୍କୁ ନିଯୁକ୍ତି ଓ ବିଭିନ୍ନ ସୁବିଧା, ପଦକ୍ଷେପରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୨୦୧୭ରେ କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରୁ ୪୦ ପରିବାରଙ୍କଠାରୁ ଜମି ନେଇଥିଲେ। ପରମୁହୂର୍ତ୍ତରେ କାରଖାନା ନିର୍ମାଣ ହୋଇ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲେ ସୁଦ୍ଧା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇ ନ ଥିଲା। ଏ ନେଇ କାରଖାନା ବିରୋଧରେ ବାରମ୍ବାର ଅଭିଯୋଗ, ଧାରଣା ଦିଆଯାଇଥିଲେ ମଧ୍ୟ ପ୍ରତିକାର କରାଯାଉ ନାହିଁ। ବାହାର ଲୋକଙ୍କୁ ନିଯୁକ୍ତି ଏବଂ କାରଖାନା ନିଜ ଲାଭ କଥା ଚିନ୍ତା କରୁଥିବାରୁ ବାଧ୍ୟ ହୋଇ ଧାରଣା ଦେଲୁ ବୋଲି ଗ୍ରାମର ସନ୍ତୋଷ ବେହେରା, ଅନାଥ ବେଉରା, ରାଜେଶ ବିଶ୍ୱାଳ, ବଳରାମ ବେଉରା, ସନାତନ ଦାସ, ଗୁଣ୍ଡିଚା ବେହେରା, ଆଶୁତୋଷ ମିଶ୍ର ପ୍ରମୁଖ ୪୦ ପରିବାର ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ଖବରପାଇ ପୋଲିସ ପହଞ୍ଚତ୍ ଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ନ ଆସିବାରୁ ବସି ରହିଥିଲେ। ଅପରାହ୍ନ ୫ଟା ପର୍ଯ୍ୟନ୍ତ କେହି ନ ଆସିବା ସହ କୁହୁଡ଼ି ପଡ଼ିବାରୁ ଧାରଣା ପ୍ରତ୍ୟାହୃତ କରିଥିଲେ।

Share