ନିରଞ୍ଜନଙ୍କ ପ୍ରଶ୍ନ: ଅଧିକ ସୁଧ ନା କମିଶନ ଆଶାରେ ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିଥିଲେ

ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ଜମାଥିବା ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରବିବାର ଏ ସମ୍ପର୍କରେ ପଚରାଯିବାରୁ ନିରଞ୍ଜନ କହିଛନ୍ତି, ନିୟମ ଅନୁସାରେ ଏହା ଜାତୀୟକରଣ ବ୍ୟାଙ୍କରେ ରହିବା କଥା। ଘରୋଇ ବ୍ୟାଙ୍କରେ ରଖିବାକୁ କିଏ ଅନୁମତି ଦେଲା। ଏ ନେଇ କାର୍ଯ୍ୟାନୁଷ୍ଠାନ ହେଉ। ଅଧିକ ସୁଧ ନା କମିଶନ ପାଇବା ପାଇଁ ଜମା ରଖାଯାଇଛି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ୟେସ୍‌ ବ୍ୟାଙ୍କରେ ଟଙ୍କା ରଖି ଫରେନ୍‌ ଟୁର୍‌ରେ ଯାଇଥିବା ସେ ଶୁଣୁଥିବା ନେଇ ନିରଞ୍ଜନ କହିଛନ୍ତି।

ପ୍ରକାଶ ଯେ, ମହାପ୍ରଭୁଙ୍କ ୫୯୨ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା ରହିଛି। ଇତିମଧ୍ୟରେ ବ୍ୟାଙ୍କ ଦେବାଳିଆ ହୋଇପଡ଼ିଛି। ଏଣୁ ମହାପ୍ରଭୁଙ୍କ ଟଙ୍କାର ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହେଉଥିବା ବୁଦ୍ଧିଜୀବୀମାନେ କହୁଛନ୍ତି। ଅପରପକ୍ଷେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟିର କେହି ବି ମୁହଁ ଖୋଲୁ ନ ଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share