ନିରଞ୍ଜନ ସେଠୀଙ୍କୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ଶ୍ରେଷ୍ଠ ପ୍ରଶାସକଭାବେ ସମ୍ମାନିତ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ନିଦ୍ଦେର୍ଶକଙ୍କ କାର୍ଯ୍ୟାଳୟରେ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଅନୁଷ୍ଠାନର ସାଧାରଣ ସଂପାଦକ ଦିଲୀପ କୁମାର ଦାସ ଏବଂ ଅନୁଷ୍ଠାନର ଲୋକସମ୍ପର୍କ ବିଭାଗର ସମ୍ପାଦକ କମଳାକାନ୍ତ ଦାଶ ସୋମବାର ସେଠୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଗତ ୧୫ ତାରିଖରେ କଟକ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ଅନୁଷ୍ଠାନର ୧୯ତମ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ସେ ଅନୁପସ୍ଥିତ ଥିବା ଯୋଗୁ ତାଙ୍କୁ ଭୁବନେଶ୍ୱରରେ ସ୍ବତନ୍ତ୍ରଭାବେ ୨୦୧୯ ମସିହା ଲାଗି ଶ୍ରେଷ୍ଠ ପ୍ରଶାସକଭାବେ ପୁରସ୍କୃତ କରାଯାଇଥିଲା। ଜଗତ୍‌ସିଂହପୁର ଜିଲା ବାଲିକୁଦାସ୍ଥିତ ଡୋଭାଳ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସେଠୀ ୧୯୮୮ରୁ ଓଡ଼ିଶା ସୂଚନା ସେବାରେ ଯୋଗଦେଇଥିଲେ। ଏହା ପରଠାରୁ ଜଣେ ନିଷ୍ଠାପର ଅଧିକାରୀ ଭାବେ ସେ ଆଜି ପର୍ଯ୍ୟନ୍ତ କାମ କରୁଛନ୍ତି। ଜଣେ ସୁପ୍ରଶାସକ ସହ ଜଣେ ସୁଲେଖକଭାବେ ମଧ୍ୟ ତାଙ୍କ ଖ୍ୟାତି ରହିଛି। ‘ସକାଳ ମଧ୍ୟାହ୍ନ ଓ ଅପରାହ୍ନ’ ଏବଂ ‘ଶୂନ୍ୟମୋହ’ ଭଳି ସଂକଳନ ସହ ‘ମାଟିର ମାନଚିତ୍ର’ ଭଳି ସାମାଜିକ ଉପନ୍ୟାସ ପ୍ରକାଶ କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି।

Share