‘ନିରପେକ୍ଷତାକୁ ବାଚସ୍ପତି ଗୁରୁତ୍ୱ ଦେବା ଆବଶ୍ୟକ’

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ପାର୍ଲାମେଣ୍ଟ ଓ ବିଧାନସଭାର ବାଚସ୍ପତିମାନେ ଦଳବଦଳ ନିରୋଧ ଆଇନକୁ କାର୍ଯ୍ୟକାରୀ କରିବା ଏବଂ ସଦସ୍ୟମାନଙ୍କୁ ଅଯୋଗ୍ୟ ଘୋଷଣା କରିବାବେଳେ ବାଚସ୍ପତିମାନେ ନିରପେକ୍ଷ ରହିବା ନିହାତି ଆବଶ୍ୟକ। ଏ ସମ୍ପର୍କରେ ସମୟୋଚିତ ନିଷ୍ପତ୍ତି ନେବା ବାଞ୍ଛନୀୟ, ଯାହା ନିର୍ବିବାଦୀୟ ହେବା ଉଚିତ। ଯାହାଫଳରେ ନ୍ୟାୟପାଳିକା ଏ ଦିଗରେ ପ୍ରଶ୍ନ ଉଠାଇ ପାରିବେ ନାହିଁ ବୋଲି ଗୁରୁବାର ଅଖିଳ ଭାରତୀୟ ବାଚସ୍ପତି ସମ୍ମିଳନୀରେ ମତପ୍ରକାଶ ପାଇଛି।
ଉତ୍ତରାଖଣ୍ଡ ବିଧାନସଭା ଆନୁକୂଲ୍ୟରେ ଡେରାଡୁନ୍‌ଠାରେ ଆୟୋଜିତ ୭୯ତମ ଅଖିଳ ଭାରତୀୟ ବାଚସ୍ପତି ସମ୍ମିଳନୀରେ ଦ୍ୱିତୀୟ ତଥା ଅନ୍ତିମ ଦିବସରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏଥିରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଭିନ୍ନ ରାଜ୍ୟ ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଓ ସଚିବମାନେ ଯୋଗଦେଇଥିଲେ। ‘ସମ୍ବିଧାନର ଦଶମ ଅନୁସୂଚୀ ଓ ବାଚସ୍ପତିଙ୍କ ଭୂମିକା’ ପ୍ରସଙ୍ଗରେ ଗୁରୁବାର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଏହି ସମ୍ମିଳନୀରେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ। ସମ୍ମିଳନୀ ସମାପ୍ତ ହେବା ପରେ ପରେ ବିଭିନ୍ନ ରାଜ୍ୟରୁ ଆସିଥିବା ଅତିଥିମାନେ ଉତ୍ତରାଖଣ୍ଡ ବିଧାନସଭା ବାଚସ୍ପତି ପ୍ରେମଚାନ୍ଦ ଅଗ୍ରୱାଲଙ୍କ ଦ୍ୱାରା ଋଷିକେଶରେ ଆୟୋଜିତ ଆଟ୍‌ ହୋମ୍‌ ପାର୍ଟିରେ ଯୋଗଦେଇଥିଲେ। ଶୁକ୍ରବାର ସେମାନେ ମଶୌରୀ ଓ ହରିଦ୍ୱାର ଭ୍ରମଣରେ ଯିବେ ବୋଲି ଜଣାପଡିଛି। ଓଡ଼ିଶା ବିଧାନସଭାର ପ୍ରତିନିଧି ଦଳରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକ, ବାଚସ୍ପତିଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ପ୍ରଶାନ୍ତ କୁମାର ଦାସ ଓ ଗବେଷଣା ଅଧିକାରୀ ରଣଧୀର ରାୟ ପ୍ରମୁଖ ସାମିଲ ଥିଲେ।

Share