Categories: ଖେଳ

ନିରପେକ୍ଷ ଭେନ୍ୟୁରେ ମ୍ୟାଚ ଆୟୋଜନ କରିବନି ପାକିସ୍ତାନ

ରାଓ୍ବଲପିଣ୍ଡି, ୧୦ା୧୨ (ଏଏପି)- ପାକିସ୍ତାନ ଏହାର ଅନ୍ତର୍ଜାତୀୟ ମ୍ୟାଚଗୁଡ଼ିକର ଆୟୋଜନ ଏଣିକି ନିରପେକ୍ଷ ଭେନ୍ୟୁରେ କରିବ ନାହିଁ। ଅନ୍ୟ ଦଳଗୁଡ଼ିକ କାହିଁକି ପାକିସ୍ତାନରେ ଖେଳିବେ ନାହିଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଚେୟାରମ୍ୟାନ ଏହେସାନ ମନି ପ୍ରଶ୍ନ କରିଛନ୍ତି। ଦଶନ୍ଧି ପୂର୍ବେ ପାକିସ୍ତାନ ଅବସ୍ଥା ଯାହା ଥିଲା ବର୍ତ୍ତମାନ ତାହା ନାହିଁ। ପାକିସ୍ତାନରେ ମ୍ୟାଚ ଖେଳାଯିବାରେ କୌଣସି ସମସ୍ୟା ନାହିଁ। ସୁରକ୍ଷାଜନିତ କାରଣରୁ ବିଦେଶରୀ ଦଳ ପାକିସ୍ତାନରେ ଖେଳିବାକୁ ରାଜି ନ ଥିବାରୁ ଦେଶରେ ୧୦ ବର୍ଷ ଧରି ଟେଷ୍ଟ ମ୍ୟାଚ ଆୟୋଜନ ସମ୍ଭବ ନ ଥିଲା। ଏବେ ଶ୍ରୀଲଙ୍କା ପାକିସ୍ତାନରେ ଟେଷ୍ଟ ସିରିଜ ଖେଳୁଛି। ବୁଧବାର ପିଣ୍ଡି ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୧୯ରୁ୨୩ ପର୍ଯ୍ୟନ୍ତ କରାଚୀରେ ଖେଳାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ ସ୍ବରୂପ ଏହି ସିରିଜ ଖେଳାଯାଉଛି। ସୂଚନାଯୋଗ୍ୟ, ୨୦୦୯ରେ ଶ୍ରୀଲଙ୍କା ଶେଷ ଦଳ ଭାବେ ପାକିସ୍ତାନରେ ଏକ ଟେଷ୍ଟ ମ୍ୟାଚ ଖେଳିଥିଲା। ସେତେବେଳେ ଲାହୋରରେ ଟିମ୍‌ ବସ୍‌ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ୮ଜଣ ଲୋକ ପ୍ରାଣ ହରାଇଥିଲେ। ଟିମ୍‌ ଅଫିସିଆଲଙ୍କ ସମେତ ଶ୍ରୀଲଙ୍କାର ବହୁ ଖେଳାଳି ଆହତ ହୋଇଥିଲେ। ଏହି ଘଟଣାପରୁଠାରୁ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ରାସ୍ତା ବନ୍ଦ ହୋଇଯାଇଥିଲା। ଫଳରେ ପିସିବି ଏହାର ସମସ୍ତ ମ୍ୟାଚ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ କରି ଆସୁଥିଲା।

Share