Categories: ଖେଳ

ନିରପେକ୍ଷ ଭେନ୍ୟୁ ପାଇଁ ଏଆଇଟିଏ ଅନୁରୋଧର କରିବ

ନୂଆଦିଲ୍ଲୀ,୮।୮(ପି.ଟି.)- ଜମ୍ମୁ- କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ଓ କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଫଳରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦ୍‌ରେ ଆସନ୍ତା ମାସରେ ଆୟୋଜନ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ମ୍ୟାଚ୍‌ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ପାକିସ୍ତାନରେ ନ ଖେଳି ଭାରତ ଏହି ଟାଇ କୌଣସି ନିରପେକ୍ଷ ଭେନ୍ୟୁରେ ଖେଳିବାକୁ ଚାହୁଁଛି। ଏ ନେଇ ଅଲ୍‌ ଇଣ୍ଡିଆ ଟେନିସ୍‌ ଆସୋସିଏଶନ୍‌ (ଏଆଇଟିଏ) ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେଶନ (ଆଇଟିଏଫ୍‌)କୁ ସମସ୍ୟା ଜଣାଇବା ସହ ନିରପେକ୍ଷ ଭେନ୍ୟୁ ପାଇଁ ଅନୁରୋଧ କରିବ ବୋଲି କହିଛି। ପାକିସ୍ତାନ ଟେନିସ ଫେଡେରେଶନ ମଧ୍ୟ ଆଇଟିଏଫ୍‌ ଯେଉଁ ନିଷ୍ପତ୍ତି ନେବ ତାହାକୁ ଗ୍ରହଣ କରିବ ବୋଲି କହିଛି।
ଦୁଇ ଦିନିଆ ଡେଭିସ୍‌ କପ୍‌ ଟାଇ ଇସ୍‌ଲାମାବାଦ୍‌ରେ ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପାକିସ୍ତାନରେ ଭାରତୀୟ ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଏଆଇଟିଏ ସାଧାରଣ ସମ୍ପାଦକ ହିରୋନମୟ ଚାଟାର୍ଜୀ କହିଛନ୍ତି। ଡେଭିସ୍‌ କପ୍‌ ଟାଇ ଏବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ବର୍ତ୍ତମାନ କିଛି କହିବା ଠିକ୍‌ ନୁହଁ। ଦିନେ ଦୁଇଦିନ ମଧ୍ୟରେ ଏ ନେଇ ସ୍ଥିତି ସ୍ପଷ୍ଟ ହେବ ବୋଲି ହିରୋନମୟ ଆଶା ପ୍ରକାଶ କରିଛନ୍ତି। ଏହାପରେ ଯାଇ ଆମେ ଆଇଟିଏଫ୍‌କୁ ଅବଗତ କରାଇବୁ ଓ ଅବଶ୍ୟକ ହେଲେ ନିରପେକ୍ଷ ଭେନ୍ୟୁ ନେଇ ଅନୁରୋଧ କରିବୁ ବୋଲି ସେ କହିଛନ୍ତି।
ପାକିସ୍ତାନ ଭିଜା ନ ଦେଲେ ଆମେ ସେଠାକୁ କିପରି ଯିବୁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଭିଜା ଦେଇ ନ ପାରନ୍ତି। ଯଦି ବି ଭିଜା ମିଳେ ତାହେଲ ପାକିସ୍ତାନର ଅବଶ୍ରକୀୟ ସୁରକ୍ଷା ମିଳିବା ନେଇ ମଧ୍ୟ ଆଶଙ୍କା ରହିଛି। ତେଣେ ଏଆଇଟିଏ ସମ୍ମୁଖରେ ଏକାଧିକ ସମସ୍ୟା ରହିଛି ବୋଲି ସେ କହିଛନ୍ତି। ସେପଟେ ଏଭଳି ପରିସ୍ଥିତିରେ ଆଇଟିଏଫ୍‌ ଯାହା ନିର୍ଦ୍ଦେଶ ଦେବ ଆମେ ତାହା ପାଳନ କରିବୁ ବୋଲି ପାକିସ୍ତାନ ଟେନିସ ଫେଡେରେଶନ (ପିଟିଏଫ୍‌) ଅଧ୍ୟକ୍ଷ ସଲିମ ସୈଫୁଲ୍ଲା ଖାଁ କହିଛନ୍ତି। ଇସଲାମାବାଦ୍‌ରେ ଭାରତୀୟ ଖେଳାଳିଙ୍କୁ ଆମେ ସୁରକ୍ଷା ଦେଇ ପାରିବୁ। ବିଜୟ କିମ୍ବା ପରାଜୟ ବଡ଼ କଥା ନୁହଁ। କିନ୍ତୁ ସୁରାକ୍ଷା ତଥା ନରାପତ୍ତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେବେ ଏବେଠାରୁ ଏ ନେଇ କିଛି କହିବା ଠିକ୍‌ ହେବ ନାହିଁି। ବର୍ତ୍ତମାନ ମ୍ୟାଚ୍‌କୁ ସ୍ଥାନନ୍ତର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

Share