ନିରାଡମ୍ବରରେ ସମ୍ପନ୍ନ ହେଲା ବାଲୁଙ୍କେଶ୍ୱରଙ୍କ ପତରପେଡିଁ

ସମ୍ବଲପୁର, ୨୩।୫ (ବ୍ୟୁରୋ)-କରୋନା କଟକଣାକୁ ଦୃଷ୍ଟିରେ ରଖି ଶନିବାର ନିରାଡମ୍ବର ଭାବେ ନନ୍ଦପଡା ବମ୍‌ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଡିଁ (ନିର୍ବନ୍ଧ) ଶେଷ ହୋଇଛି। ଏଥିସହ ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି । ପରମ୍ପରା ଓ ରୀତିନୀତି ଅନୁସାରେ ବାଲୁଙ୍କେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ବରପିତା ରାମଚରଣ ମିଶ୍ର କନ୍ୟା ଖୋଜା ଅନ୍ବେଷଣରେ ସପ୍ତଋଷିଙ୍କ ସହ ଗୋଧୂଳି ଲଗ୍ନରେ ବାହାରିଥିଲେ। ସନ୍ଧ୍ୟା ୬ଟାରେ ବରପିତା, ପଣ୍ଡିତ, ସପ୍ତଋଷି ଅଇଁଠାପାଲିର ଶୁଭଶ୍ରୀବିହାରସ୍ଥିତ କନ୍ୟାମାତା ରିଙ୍କି ଓ ପିତା ସୁକାନ୍ତ ବିଶିଙ୍କ ବାସଭବନରେ ପହଞ୍ଚତ୍ଥିଲେ। ସେଠାରେ କନ୍ୟାପକ୍ଷ ଓ ବରପକ୍ଷ ପଣ୍ଡିତମାନଙ୍କ ମନ୍ତ୍ରୋଚାରଣରେ ଶିବଙ୍କ ଗୁଣଗ୍ରାମ ବିଷୟରେ ପ୍ରଶ୍ନୋତ୍ତର ହୋଇଥିଲା। ଏହାପରେ ଶଙ୍ଖନାଦ, ହରିବୋଲ ହୁଳହୁଳି ଧ୍ୱନିରେ ମହାଦେବଙ୍କ ସହ ଦେବୀ ପାର୍ବତୀଙ୍କୁ ବିବାହ କରିବାକୁ କନ୍ୟାପକ୍ଷ ସମ୍ମତି ପ୍ରଦାନ କରିଥିଲେ । ତତ୍‌କ୍ଷଣାତ ବରପିତା ରାମଚରଣ  କନ୍ୟାମାତା ପିତାଙ୍କୁ ଥାଳରେ ଶାଳପତ୍ର ପେଣ୍ଡା, ବେଲପତ୍ର, ଫୁଲ, ଚନ୍ଦନ ପ୍ରଦାନ କରି ବିବାହ ଚୂଡାନ୍ତ କରିଥିଲେ। ପଣ୍ଡିତ ଶଶାଙ୍କ ଶେଖର ମିଶ୍ର ପୂଜାର୍ଚ୍ଚନା କରିଥିଲେ। ବିଜୟ ମିଶ୍ର, କାମପାଳ ହୋତା, ନିଗମାନନ୍ଦ ମିଶ୍ର, ଚକ୍ରଧର ମିଶ୍ର, ଶଶାଙ୍କ ଶେଖର ନନ୍ଦ, ଗୋଲକ ବିହାରୀ ମିଶ୍ର ଓ ଅଚ୍ୟୁତ ମିଶ୍ର ସପ୍ତଋଷି ଥିଲେ। କରୋନା କଟକଣା ଯୋଗୁ ଚଳିତବର୍ଷ ଦୁଲଦୁଲି, ଝଣ୍ଡା, ଛତ୍ର, ବୈରଖ, ନୃତ୍ୟଗୀତ ହୋଇ ନ ଥିଲା। ପ୍ରଥମ ଥର ପାଇଁ ଏପରି ନିରାଡମ୍ବର ଭାବେ ପତରପେଡିଁ ସମ୍ପନ୍ନ ହୋଇଥିବା ପଡାର ବରିଷ୍ଠ ନାଗରିକମାନେ ମତ ଦେଇଛନ୍ତି । ନନ୍ଦପଡା ଯାତ୍ରା କମିଟିର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।