ନିରାଡ଼ମ୍ବରରେ ଜନ୍ମଦିନ ପାଳିବେ ପ୍ରଭୁ ଶ୍ରୀରାମ

ଭୁବନେଶ୍ୱର,୨।୪(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଛି ରାଜ୍ୟର ସମସ୍ତ ମଠ, ମନ୍ଦିର ଓ ମସ୍‌ଜିଦ। ଏଭଳିସ୍ଥଳେ ଗୁରୁବାର ହେଉଛି ପବିତ୍ର ରାମନବମୀ। ସର୍ବସାଧାରଣଙ୍କ ପାଇଁ ସମସ୍ତ ମନ୍ଦିର ଦ୍ୱାର ବନ୍ଦ ରହିଥିବାବେଳେ ଠାକୁରଙ୍କର କେବଳ ନୀତିକାନ୍ତି କରାଯାଉଛି। ତେଣୁ ପ୍ରତିବର୍ଷ ଧୂମ୍‌ଧାମ୍‌ରେ ପାଳିତ ହେଉଥିବା ରାମ ନବମୀ ଏଥର ରାଜଧାନୀରେ ନରାଡ଼ମ୍ବରରେ କରାଯିବାକୁ ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ରାମ ମନ୍ଦିରରେ ଏଥର ଜମିବନି ଭିଡ଼ କି ଶୁଣିବାକୁ ମିଳିବନି ଶ୍ରଦ୍ଧାଳୁଙ୍କ ଜୟ ଶ୍ରୀରାମ ଧ୍ୱନି। ପ୍ରତିବର୍ଷ ଭକ୍ତଙ୍କ ଗହଣରେ ଜନ୍ମଦିନ ପାଳୁଥିବା ପ୍ରଭୁ ଶ୍ରୀରାମ ଏଥର କେବଳ ପୂଜକଙ୍କ ସହ ନିଜ ଜନ୍ମଦିବସ ମନାଇବେ। ଗୋଟିଏପଟେ ବୁଧବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦ୍ୱିତୀୟ ବଡ଼ପର୍ବ ରୁକୁଣା ରଥଯାତ୍ରାକୁ ବନ୍ଦ କରାଯାଇଥିବା ବେଳେ ରାମନବମୀରେ ମଧ୍ୟ ଅଙ୍କୁଶ ଲଗାଇଛି କରୋନା। ପୋଲିସ ପକ୍ଷରୁ ଗୁରୁବାର ରାମମନ୍ଦିର ଗେଟ୍‌ରେ ତାଲା ପକାଯିବ। କେବଳ ମନ୍ଦିର ଭିତରେ ସେବାୟତମାନେ ଠାକୁରଙ୍କ ରୀତିନୀତି ଅନୁଯାୟୀ ନୀତିକାନ୍ତି କରିବେ। ଭୋର ୪ଟାରୁ ଶୃଙ୍ଗାର ଆରତି କରାଯିବାପରେ ସକାଳ ୭ଟାରେ ପ୍ରଭୁ ଶ୍ରୀରାମଙ୍କର ମଙ୍ଗଳ ଆରତି କରାଯିବ। ଏହାପରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଓ ବେଶ ଅନୁଷ୍ଠିତ ହେବ। ପରେ ଶ୍ରୀରାମ ଚରିତ ମାନସ ନବାଙ୍ଗ ପାରାୟଣର ପୂର୍ଣ୍ଣାହୁତି କରାଯିବ। ସେହିପରି ପୂର୍ବାହ୍ନ ୧୦ଟାରୁ ହୋମ ଯଜ୍ଞ, ମଧ୍ୟାହ୍ନରୁ ପ୍ରଭୁ ଶ୍ରୀରାମ ଜନ୍ମ ଉତ୍ସବ ପାଳନ ଓ ଏହାପରେ ଜୟନ୍ତୀ ଆଳତି ହେବ। ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଓ ରାତି ୧୦ଟାରେ ଭୋଗ ଆରତି ଅନୁଷ୍ଠିତ ହେବ ବୋଲି ରାମ ମନ୍ଦିର ପରିଚାଳକ ମହାବୀର ପ୍ରସାଦ ଶର୍ମା କହିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ଇସ୍କନ ମନ୍ଦିରରେ ମଧ୍ୟ ପ୍ରଭୁଙ୍କର କେବଳ ନୀତିକାନ୍ତି ଅନୁଷ୍ଠିତ ହେବ। ଦିନ ୧୨ଟାରୁ ୧୨ଟା ୩୦ ମଧ୍ୟରେ ଅଭିଷେକ, ସନ୍ଧ୍ୟାରେ ନାମ କୀର୍ତ୍ତନ କରାଯିବା ସହ ଶ୍ରୀରାମଙ୍କ ଜନ୍ମାଭିଷେକ ଉପରେ ଆଲୋଚନା କରାଯିବ ବୋଲି ଇସ୍କନ ମନ୍ଦିରର ରାଧାକାନ୍ତ ଦାଶ ସୂଚନା ଦେଇଛନ୍ତି। ରାମନବମୀ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ସମ୍ମୁଖରେ ପୋଲିସ ମୁତୟନ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି।

Share