ନିରାପଦ ଦୀପାବଳି ପାଇଁ…

ଆଲୋକର ପର୍ବ ଦୀପାବଳି। ପରିବାର, ବନ୍ଧୁ ପରିଜନଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିବାର ବେଳ। ଅନ୍ଧାରକୁ ଏଡ଼ିଦେଇ କିଛି ସମୟ ପରିବେଶକୁ ଆଲୋକିତ କରିବାର ପ୍ରୟାସରେ ଏହି ପର୍ବର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଆତସବାଜି। ମିଠା ସାଙ୍ଗକୁ ଆତସବାଜି ଏହି ମୁହୂର୍ତ୍ତକୁ ସବୁବେଳ ପାଇଁ ଉଜ୍ଜୀବିତ ରଖେ। ଗତ କିଛିବର୍ଷ ହେଲା ଦେଶରେ ବିଶେଷକରି ଓଡ଼ିଶାରେ ମଧ୍ୟ ଏହି ପର୍ବଜନିତ ଅର୍ଥାତ୍‌ ଆତସବାଜି ଦୁର୍ଘଟଣାଜନିତ ସଂଖ୍ୟା ବୃଦ୍ଧି ଘଟୁଥିବାର ଦେଖିବାକୁ ମିଳୁଛି। ଆଉ ଏହା ମୁଖ୍ୟତଃ ଆତସବାଜି ତିଆରି କରୁଥିବା କମ୍ପାନୀମାନଙ୍କର ନିମ୍ନମାନର ତିଆରି ପ୍ରଣାଳୀ, ସରକାରଙ୍କ ପକ୍ଷରୁ ମାନ ନିର୍ଦ୍ଧାରଣ କ୍ଷେତ୍ରରେ ବିଫଳତା ଏବଂ ବ୍ୟବହାରକାରୀଙ୍କ ଖାମଖିଆଲି ନୀତି ଯୋଗୁ ଘଟୁଛି। ତେବେ ଏହା ଖାଲି ଦୁର୍ଘଟଣାର କାରଣ ହୋଇଛି ତା’ନୁହେଁ, ବରଂ ଶବ୍ଦ ପ୍ରଦୂଷଣ ଏବଂ ବାୟୁ ପ୍ରଦୂଷଣ କ୍ଷେତ୍ରରେ ଏହାର ଯୋଗଦାନ ବଢ଼ିଛି। ତେଣୁ ଏହି ଆଲୋକର ପର୍ବକୁ କେବଳ ଆଲୋକ, ମିଠେଇରେ ସୀମିତ ରଖି ନିଜକୁ ସୁସ୍ଥ, ନିଜ ପରିବେଶକୁ ସୁସ୍ଥ ରଖିବା ନିହାତି ଦରକାର।

କିଛି ଟିପ୍‌ସ…
ଯଦି ଆପଣ ଆତସବାଜି କିଣିବା ପାଇଁ ଇଚ୍ଛୁକ ତେବେ ଆଇନଗତ ସ୍ବୀକୃତି ଲାଭ କରିଥିବା କମ୍ପାନୀମାନଙ୍କର ଆତସବାଜି କିଣନ୍ତୁ।
ଆତସବାଜି ବ୍ୟବହାର ପାଇଁ ପିଲାଙ୍କୁ ଏକୁଟିଆ ଛାଡ଼ନ୍ତୁ ନାହିଁ। ସେମାନଙ୍କର ପାଖେପାଖେ ରୁହନ୍ତୁ।
ଘର ଭିତରେ କୌଣସି ଭାବେ ଆତସବାଜି ଲଗାନ୍ତୁ ନାହିଁ।
ନିଜ ପାଖରେ କିମ୍ବା ଆତସବାଜି ଲାଗୁଥିବା ନିକଟ ସ୍ଥାନରେ ଅନ୍ୟ ଆତସବାଜି ପକାନ୍ତୁ ନାହିଁ।
ପାଖରେ ସବୁବେଳେ ପାଣି ବାଲ୍‌ଟି ରଖନ୍ତୁ। ନାଇଲନ୍‌ କିମ୍ବା ପଲିଷ୍ଟର ପୋଷାକ ଏହି ସମୟରେ ପିନ୍ଧନ୍ତୁ ନାହିଁ।
ରକେଟ ତଥା ବମ୍‌ ଭଳି ଆତସବାଜି ଜନଗହଳି ସ୍ଥାନରେ ଲଗାନ୍ତୁ ନାହିଁ।
ନିରୀହ ପଶୁଙ୍କ କ୍ଷେତ୍ରରେ ଏହି ଆତସବାଜିର ପ୍ରୟୋଗ କରନ୍ତୁ ନାହିଁ।
ମଜାରେ କାହା ଉପରକୁ ଏହା ଫିଙ୍ଗନ୍ତୁ ନାହିଁ।
ନିଜ ଭଳି କିଭଳି ଅନ୍ୟମାନେ ମଧ୍ୟ ଏହି ମୁହୂର୍ତ୍ତର ମଜା ଉପଭୋଗ କରିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।

Share