ନିରାଶ୍ରୟଙ୍କୁ ଦିଆଗଲା ରନ୍ଧାଖାଦ୍ୟ ଆଳୁ, ପିଆଜ ବିକ୍ରି କଲା ୧୪ ଏସ୍‌ଏଚ୍‌ଜି

ବାଲେଶ୍ୱର ଅଫିସ,୨୮।୩: -କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଦୋକାନ ବଜାର ସବୁ ବନ୍ଦ ହୋଇଯାଇଥିବାରୁ ନିରାଶ୍ରୟ, ଅସହାୟ ଓ ଭିକାରୀମାନେ ଖାଇବାକୁ ନ ପାଇ ବହୁତ ହଇରାଣ ହେଉଛନ୍ତି। ଏହାକୁ ନଜରରେ ରଖି ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବାଲେଶ୍ୱର ଓ ସୋର ପୌରାଞ୍ଚଳରେ ଥିବା ନିରାଶ୍ରୟମାନଙ୍କୁ ଠାବ କରି ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ମିଶନ ଶକ୍ତି ଓ ବିଭିନ୍ନ ସ୍ବେଚ୍ଛାସେବୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ଷ୍ଟେଶନ ଛକ ନିକଟସ୍ଥ ସାଇ ମନ୍ଦିରଠାରେ ୭୯ଜଣ ଏବଂ ସୋର ପୌରାଞ୍ଚଳର ରୋଷେୟା ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ୧୧ଜଣଙ୍କୁ ଠାବ କରାଯାଇ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସମସ୍ତଙ୍କୁ ପୌରାଞ୍ଚଳରେ ଥିବା ମିର୍ଜାପୋଖରୀସ୍ଥିତ ଏକ କଲ୍ୟାଣ ମଣ୍ଡପରେ ରଖାଯାଇ ପ୍ରତିଦିନ ଦିବାରାତ୍ର ଖାଦ୍ୟ ପ୍ରଦାନ କରାଯାଇ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ସହରାଞ୍ଚଳରେ ୧୨ ଓ ରେମୁଣାରେ ୨ ଏସ୍‌ଏଚ୍‌ଜି ମାଧ୍ୟମରେ ଆଳୁ, ପିଆଜ ସୁଲଭ ଦରରେ ବିକ୍ରି କରାଯାଉଛି। ପରବର୍ତ୍ତୀ ସମୟରେ ନୀଳଗିରି, ଜଳେଶ୍ୱର, ସୋର ପୌରାଞ୍ଚଳ ସମେତ ପ୍ରତି ପଞ୍ଚାୟତରେ ଏଭଳି ଦୋକାନ ଖୋଲାଯାଇ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ, ପିଆଜ ଯୋଗାଇ ଦିଆଯିବ ବୋଲି ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୁସୁମବାଳା ମିଶ୍ର କହିଛନ୍ତି। ସମସ୍ତ କାର୍ଯ୍ୟରେ ଜିଲା ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଡିଡବ୍ଲ୍ୟୁଓ ରାଜୀବ କୁମାର ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝି ପ୍ରମୁଖ ନିୟୋଜିତ ଅଛନ୍ତି। ସେହିପରି ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରୟାସ ପରିବାର’ ଓ ଆଇନଜୀବୀ ନିରଞ୍ଜନ ବାନାର୍ଜୀ ଅସହାୟ ଲୋକ, ବୁଲା ପ୍ରାଣୀଙ୍କୁ ଖାଦ୍ୟ ବଣ୍ଟନ କରୁଥିବା ଜଣାପଡ଼ିଛି।