ନିର୍ଗୁଣ୍ଡି ଷ୍ଟେଶନରେ ଓହ୍ଲାଇଲେ ୭୯୩ ପ୍ରବାସୀ

ଚୌଦ୍ୱାର,୧୬ା୫ (ଡି.ଏନ.ଏ): ହାଇଦ୍ରାବାଦ୍‌ରୁ ପ୍ରବାସୀଙ୍କୁ ନେଇ ଏକ ଶ୍ରମିକ ସ୍ପେଶାଲ୍‌ ଟ୍ରେନ ଆସି ଶୁକ୍ରବାର ରାତି ୯ଟାରେ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଛି। ଏହି ଟ୍ରେନଟି ଦିନ ୧ଟାରେ ନିର୍ଗୁଣ୍ଡିରେ ପହଞ୍ଚିବ ବୋଲି ପୂର୍ବରୁ ପ୍ରଶାସନ କହିଥିଲା। ମାତ୍ର କୌଣସି କାରଣରୁ ତାହା ୮ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ଏହି ଟ୍ରେନରେ କଟକର ୫, ଜଗତ୍‌ସିଂହପୁରର ୧୨୫, କେନ୍ଦ୍ରାପଡ଼ାର ୬୬୨ ଓ ଗଞ୍ଜାମ ଜିଲାର ଜଣଙ୍କୁ ମିଶାଇ ମୋଟ ୭୯୩ ଜଣ ପ୍ରବାସୀ ଆସି ଓହ୍ଲାଇଛନ୍ତି। ସେମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରି ସାନିଟାଇଜ କରାଯାଇଥିଲା। ପରେ ଥର୍ମାଲ ସ୍କ୍ରିନିଂ, ନାମ ପଞ୍ଜୀକରଣ କରାଯାଇ ପ୍ରଶାସନିକ ବିଧି ବ୍ୟବସ୍ଥା ପରେ ସେମାନଙ୍କ ଜିଲାରୁ ଆସିଥିବା ୫୦ଟି ବସରେ ନିଜ ଅଞ୍ଚଳକୁ ପଠାଯାଇଥିଲା। ସେ ଅଞ୍ଚଳର ଜିଲା ପ୍ରଶାସନ ସେମାନଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିବେ ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ଷ୍ଟେଶନ ଚତୁଃପାର୍ଶ୍ୱ ୧କି.ମି. ପର୍ଯ୍ୟନ୍ତ ଗୁରୁବାର ରାତି ୯ଟାରୁ ୧୪୪ ଧାରା ଲାଗୁ କରାଯାଇଥିଲା। ଷ୍ଟେଶନରେ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା।

Share