Categories: ବାଣିଜ୍ୟ

ନିର୍ଦ୍ଦେଶକଙ୍କ ପାଇଁ ଲାଗୁ ହେଲା ଆଚାର ସଂହିତା

ନୂଆଦିଲ୍ଲୀ,୧୦-୯: ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ କର୍ପୋରେଟ ଗଭର୍ନାନ୍ସରେ ଉନ୍ନତି ଆଣିବା ଲାଗି କେନ୍ଦ୍ର ସରକାର ଅଣ ଅଫିସରସ୍ତରୀୟ ନିର୍ଦ୍ଦେଶକଙ୍କ ପାଇଁ ଆଚାର ସଂହିତା ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ସେବା ବିଭାଗ ପକ୍ଷରୁ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏମ୍‌ଡିଙ୍କ ନିକଟକୁ ଏ ସଂକ୍ରାନ୍ତରେ ପତ୍ର ଲେଖାଯାଇଛି। ଏଥିରେ କୁହାଯାଇଛି ଯେ, ବ୍ୟାଙ୍କ ବୋର୍ଡ ନିର୍ଦ୍ଦେଶକଙ୍କ ପେସାଦାରୀ ଏବଂ ନୈତିକ ବ୍ୟବହାରକୁ ଆଧାର କରି ତାଙ୍କର ପ୍ରଦର୍ଶନ ସମ୍ପର୍କରେ ବାର୍ଷିକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ପତ୍ରରେ କୁହାଯାଇଛି ଯେ, କମ୍ପାନୀରେ କାର୍ଯ୍ୟରତ ସ୍ବାଧୀନ ନିର୍ଦ୍ଦେଶକଙ୍କ ଲାଗି ସେବି ପକ୍ଷରୁ ଏକ ଆଚାର ସଂହିତା ପୂର୍ବରୁ ଲାଗୁ କରାଯାଇସାରିଛି। ଏହାଦ୍ୱାରା ସେମାନଙ୍କର ପ୍ରଦର୍ଶନର ମୂଲ୍ୟାଙ୍କନ ସମ୍ଭବ ହୋଇପାରୁଛି। ତେବେ ସେବିର ଉକ୍ତ ନିଷ୍ପତ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କ କ୍ଷେତ୍ରରେ ଲାଗୁ ହୋଇପାରୁନାହିଁ, କାରଣ ଏହା କମ୍ପାନୀ ଆଇନ ଅଧୀନକୁ ଆସୁନାହିଁ। ସେହିପରି ବ୍ୟାଙ୍କିଙ୍ଗ୍‌ କମ୍ପାନୀଜ ଆଇନରେ ମଧ୍ୟ ସ୍ବାଧୀନ ନିର୍ଦ୍ଦେଶକ ଏବଂ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ସମେତ ଅଣ ଅଧିକାରୀସ୍ତରୀୟ ନିର୍ଦ୍ଦେଶକଙ୍କ କାର୍ଯ୍ୟଧାରା ସମ୍ପର୍କରେ ସେଭଳି ସ୍ପଷ୍ଟ କିଛି ଉଲ୍ଲେଖ କରାଯାଇନାହିଁ। ଆଚାର ସଂହିତାରେ ନିର୍ଦ୍ଦେଶକଙ୍କ ପାଇଁ କେତେକ କରଣୀୟ କାର୍ଯ୍ୟ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। କମ୍ପାନୀ ସହ ନିଜେ କୌଣସି କାରବାରରେ ସମ୍ପୃକ୍ତ ରହିଛନ୍ତି କି ନା ସେ ସମ୍ପର୍କରେ ସମ୍ପୃକ୍ତ ନିର୍ଦ୍ଦେଶକ ବୋର୍ଡ ସହ ପ୍ରାକ୍‌ ଆଲୋଚନା ସାରିନେବାକୁ ହେବ ବୋଲି ଆଚାର ସଂହିତାରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି।

Share