ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ସାରିବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର, ୨୦ା୨(ବ୍ୟୁରୋ): ଜ୍ଞାନର ପରିସୀମା ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ ଛାତ୍ରୀଛାତ୍ରଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହା ଆମ ସମସ୍ତଙ୍କ ପାଇଁ ଏକ ଆହ୍ବାନ। ଏହାର ସଫଳତା ପାଇଁ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନର ବିକାଶ, ଗବେଷଣା ଓ ଦକ୍ଷତା ବିକାଶ ଆଦିକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଅନେକଗୁଡ଼ିଏ ପରିବର୍ତ୍ତନକାରୀ ସଂସ୍କାର ଆଣିଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ବୁଧବାର କୃଷି ଭବନଠାରେ ଆୟୋଜିତ ବିଶ୍ୱବ୍ୟାଙ୍କ ସହାୟତାରେ ଓଡ଼ିଶା ହାୟର ଏଜୁକେଶନ୍‌ ପ୍ରୋଗ୍ରାମ ଫର୍‌ ଏକ୍ସିଲେନ୍ସି ଆଣ୍ଡ୍‌ ଇକ୍ବିଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଦିଗ୍‌ଦର୍ଶନ କର୍ମଶାଳାରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଏହା କହିଥିଲେ। ଶିକ୍ଷାରେ ବିନିଯୋଗ ହେଉଥିବା ଅର୍ଥ ହେଉଛି ମାନବ ପାଇଁ ଶ୍ରେଷ୍ଠ ପୁଞ୍ଜିଲଗାଣ। ତେଣୁ ବିଶ୍ୱବ୍ୟାଙ୍କ ସହାୟତାରେ ପରିଚାଳିତ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କରି ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣି ଛାତ୍ରୀଛାତ୍ରଙ୍କୁ ଏହାର ସୁଫଳ ଯୋଗାଇଦେବାକୁ ପଡ଼ିବ। ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଲାଗି ପର୍ଯ୍ୟାପ୍ତ ଅର୍ଥର ବ୍ୟବସ୍ଥା ରହିଛି। ଶିକ୍ଷାନୁଷ୍ଠାନରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରି ଶିକ୍ଷାଦାନ ସହିତ ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ଶେଷ କରି ପରୀକ୍ଷା ଓ ପରୀକ୍ଷା ଫଳ ପ୍ରକାଶ କରିବାକୁ ମନ୍ତ୍ରୀ କର୍ମଶାଳାରେ ଯୋଗଦେଇଥିବା ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିନିଧିମାନଙ୍କୁ କହିଥିଲେ।
କାର୍ଯ୍ୟକ୍ରମ ଜରିଆରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ଆର୍ଥିକ ପରିଚାଳନାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ପ୍ରଶାସନିକ ଦକ୍ଷତା ବୃଦ୍ଧି, ଶିକ୍ଷାନୁଷ୍ଠାନ ଆର୍ଥିକ ପରିଚାଳନାରେ ଉନ୍ନତି ଓ ସ୍ବଚ୍ଛତା ଆଣିବା ସହ ଅନ୍‌ଲାଇନ୍‌ କ୍ୟାସ୍‌ବୁକ୍‌ ଲେଖିବା ପାଇଁ ଏକ ସ୍ବତନ୍ତ୍ର ସଫ୍ଟୱେୟାର ପ୍ରଚଳନ, ଅଧ୍ୟାପକମାନଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା, ଶିକ୍ଷାନୁଷ୍ଠାନର ନାକ୍‌ ମାନ୍ୟତା ହାସଲ, ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ସୁଯୋଗ ବୃଦ୍ଧି ଆଦି ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା ହୋଇଥିଲା। ଓଡ଼ିଶା ହାୟର ଏଜୁକେଶନ୍‌ ପ୍ରୋଗ୍ରାମ ଫର୍‌ ଏକ୍ସିଲେନ୍ସି ଆଣ୍ଡ ଇକ୍ବିଟି କାର୍ଯ୍ୟକ୍ରମର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପରମେଶ୍ୱରନ୍‌ ବି. କର୍ମଶାଳା ପରିଚାଳନା କରିଥିଲେ।

Share