ନିର୍ବାଚନରେ ବ୍ୟାନର ଛିଣ୍ଡା ପ୍ରସଙ୍ଗ : ହୋମଗାର୍ଡଙ୍କୁ ବିଜେଡି ନେତାଙ୍କ ଧମକ

ଯାଜପୁର ଅଫିସ,୧୧ା୧୦: ଯାଜପୁର ଜିଲା ବରୀ-ରାମଚନ୍ଦ୍ରପୁର ଥାନାରେ ଗତ ସାଧାରଣ ନିର୍ବାଚନରେ ବ୍ୟାନର ଛିଣ୍ଡାଇବା ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର କେତେକ ବିଜେଡି ନେତା ଜଣେ କର୍ତ୍ତବ୍ୟରତ ହୋମଗାର୍ଡଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହିମର୍ମରେ ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକ ବରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ଗତ ସାଧାରଣ ନିର୍ବାଚନ ସମୟରେ ହୋମଗାର୍ଡ ମଲ୍ଲିକ ୧ ନମ୍ବର ଫ୍ଲାଇଙ୍ଗ ସ୍କ୍ବାର୍ଡ ଗାଡ଼ିରେ ଥିଲେ ା ସେହି ଗାଡ଼ିରେ ଜଣେ ମାଜିଷ୍ଟ୍ରେଟ, ଜଣେ ଅଫିସର, ୨ଜଣ ଓଏପିଏଫ୍‌ ଓ ଜଣେ ଡ୍ରାଇଭର ମଧ୍ୟ ଡ୍ୟୁଟିରେ ଥିଲେ। ଯାହାବି କାର୍ଯ୍ୟ କରାଯାଉଥିଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ହେଉଥିଲା। ସେହି ସମୟରେ ବିଜେଡିର କେତେକ ନେତା ବ୍ୟାନର ଛିଣ୍ଡାଉଥିବା କହି ହୋମଗାର୍ଡଙ୍କୁ ଫୋନ୍‌ରେ ଗାଳିଗୁଲଜ କରିଥିଲେ। ଏ ସଂକ୍ରାନ୍ତରେ ସେ ଆଇଆଇସି ଓ ମାଜିଷ୍ଟ୍ରେଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ସେହି ଡ୍ୟୁଟିରୁ ତାଙ୍କୁ ବାହାର କରି ଦିଆଯାଇଥିଲା। ସେହି ପୂର୍ବ ଘଟଣାକୁ କେନ୍ଦ୍ର କରି ଗୁରୁବାର ଅପରାହ୍ନ ୧ଟା ସମୟରେ ଥାନା ରାସ୍ତାରେ ଜଣେ ସାକ୍ଷୀଙ୍କୁ ଥାନାକୁ ନେଇ ଯାଉଥିବାବେଳେ ହୋମଗାର୍ଡ ମଲ୍ଲିକଙ୍କୁ କେତେକ ବିଜେଡି ନେତା ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ବରୀ ଥାନାଧିକାରୀ ମାର୍କଣ୍ଡ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ହୋମଗାର୍ଡ ମଲ୍ଲିକ ଏକ ଅଭିଯୋଗ ଆଣିଛନ୍ତି। ସେ ସଂକ୍ରାନ୍ତରେ ତଦନ୍ତ ଚାଲିଛି। ତଦନ୍ତ ଆଧାରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।