ନିର୍ବାଚନରେ ହାରିବା ପରେ ବିଜୟଙ୍କ ପ୍ରତିକ୍ରିୟା: କହିଲେ ‘ଫଳାଫଳ ଆଶ୍ଚର୍ଯ୍ୟ କରିଛି, ଏହା ମୋ’ ସପକ୍ଷରେ ଥିଲା’

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ବହୁ ଉପେକ୍ଷିତ ପାଟକୁରା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୧୭ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି। ହେଲେ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ବୁଧବାର ଫଳାଫଳ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜୟ। ସେ କହିଛନ୍ତି, ମୋତେ ଫଳାଫଳ ଆଶ୍ଚର୍ଯ୍ୟ କରିଛି। କାରଣ ଲୋକମତ ମୋ ସପକ୍ଷରେ ଥିଲା। ହେଲେ ଗଣତନ୍ତ୍ରରେ ଲୋକ ମତକୁ ସମ୍ମାନ ଦେବାକୁ ପଡ଼ିବ। ଲୋକଙ୍କ ରାୟକୁ ମାନିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏଥିସହ ନିର୍ବାଚନ ଫଳ ମୋ ବିପକ୍ଷରେ ଯିବାର ଅନେକ କାରଣ ଅଛି। ସରକାର ପାଟକୁରାକୁ ଘେରାବନ୍ଦୀ କରି ରଖିଥିଲେ। ଟଙ୍କା ବଣ୍ଟାଯିବା ମଧ୍ୟ ଫଳ ପରିବର୍ତ୍ତନ ଅନ୍ୟତମ କାରଣ। ଲୋକ ମତ ଭିନ୍ନ ଥିଲା ତେଣୁ କଣ’ ପାଇଁ ଏମିତି ହେଲା ଅନୁଧ୍ୟାନ ଯୋଗ୍ୟ। ଚର୍ଚ୍ଚା, ଆଲୋଚନା କରାଯିବା ପରେ ଏହାର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

ପ୍ରକାଶଥାଉକି, ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ମୋଟ ୯୬,୦୧୭ ଖଣ୍ଡ ଭୋଟ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ମିଳିଛି ୭୮,୦୯୭ ଖଣ୍ଡ ଭୋଟ। ହେଲେ ଉକ୍ତ ଆସନରେ ଅମାନତ ହରାଇଛି କଂଗ୍ରେସ। ଦଳୀୟ ପ୍ରାର୍ଥୀ ମାତ୍ର ଜୟନ୍ତ କୁମାର ମହାନ୍ତି ୨୧୦୪ ଖଣ୍ଡ ଭୋଟ ପାଇଛନ୍ତି।

Share