Categories: ଜାତୀୟ

ନିର୍ବାଚନ ନ ଲଢ଼ି ମୁଖ୍ୟମନ୍ତ୍ରୀ: ରାବ୍ରୀ ଦେବୀ-ମୋଦିଙ୍କ ସମକ୍ଷକ ହେବେ ଉଦ୍ଧବ

ମୁମ୍ବାଇ,୨୭।୧୧: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେ ଏହା ପୂର୍ବରୁ କୌଣସି ନିର୍ବାଚନ ଲଢ଼ି ନାହାଁନ୍ତି। ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭା ଅବା ବିଧାନ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବାକୁ ପଡ଼ିବ। ଏହା ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ୧୯୯୭ରେ କୌଣସି ନିର୍ବାଚନ ନ ଲଢ଼ି ରାଜ୍ୟର କ୍ଷମତା ହାସଲ କରିଥିଲେ। ଗୋଖାଦ୍ୟ ଦୁର୍ନୀତିରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଇସ୍ତଫା ପରେ ରାବ୍ରୀ ଏହି ପଦ ସମ୍ଭାଳି ଥିଲେ। ସେହିପରି ୨୦୦୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଥିଲେ। ଏହା ପୂର୍ବରୁ ସେ କୌଣସି ନିର୍ବାଚନ ଲଢ଼ି ନ ଥିଲେ। ଭାଜପା ପକ୍ଷରୁ ଏଠାରେ କେଶୁଭାଇ ପଟେଲ୍‌ଙ୍କୁ ହଟାଯାଇ ମୋଦିଙ୍କ ହାତରେ ଶାସନ ଡୋରି ଦିଆଯାଇଥିଲା। ମୋଦି ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏବେ ଏହାର ପୁନରାବୃତ୍ତି ମହାରାଷ୍ଟ୍ରରେ ହେବାକୁ ଯାଉଛି। ଉଦ୍ଧବ ୨୦୦୦ ପର୍ଯ୍ୟନ୍ତ ରାଜନୀତିଠାରୁ ଦୂରରେ ଥିଲେ। ତେବେ ବାଲ୍‌ ଠାକ୍‌ରେଙ୍କ ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ। ୨୦୦୨ରେ ତାଙ୍କ ନେତୃତ୍ୱରେ ଶିବସେନା ମୁମ୍ବାଇ ମ୍ୟୁନିସପାଲିଟି ନିର୍ବାଚନରେ ବେଶ୍‌ ସଫଳ ରହିଥିଲା। ୨୦୦୩ରେ ସେ ଶିବସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ। ଫଳରେ ଦଳରେ ବିବାଦ ଦେଖାଦେବାରୁ ତାଙ୍କ ଦାଦା ପୁଅ ରାଜ୍‌ ଠାକ୍‌ରେ ୨୦୦୬ରେ ଶିବସେନାଠାରୁ ଅଲଗା ହୋଇ ନୂଆ ଦଳ ଗଢ଼ିଥିଲେ।

Share