ନିର୍ବାଚନ ପରେ କାଁ ଭାଁ ଚାଷୀଙ୍କୁ ମିଳିଛି କାଳିଆ ଟଙ୍କା: ସିପିଆଇର ଗଣଧାରଣା

ନୀଳଗିରି, ୯।୭(ଡି.ଏନ.ଏ.)-ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ସ୍ଥାନୀୟ ଆଞ୍ଚଳିକ କମିଟି ପକ୍ଷରୁ ମଙ୍ଗଳବାର ଗଣଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮୭ଦଫା ଦାବିପତ୍ର ଦିଆଯାଇଥିଲା। ପୂର୍ବାହ୍ନରେ ନିଞ୍ଜନ ବାରିକଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ଆସି ଉପଜିଲାପାଳ ଅଫିସ ଫାଟକ ନିକଟରେ ପହଞ୍ଚିଥିଲେ। ସେଠାରେ କୈଳାସ ଚନ୍ଦ୍ରଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ରାଜ୍ୟ ସମ୍ପାଦକ କାନୁନ୍‌ଗୋ,  ବାରିକ ପ୍ରମୁଖ ଯୋଗଦେଇ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ଜନବିରୋଧୀ ନୀତିକୁ କଠୋର ସମାଲୋଚନା କରିଥିଲେ। ରାଜ୍ୟ ସରକାର ଚାଷୀଙ୍କ ଭୋଟ୍‌ ହାତେଇବା ପାଇଁ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା କରି ସଂଖ୍ୟାଗରିଷ୍ଠତା ହାସଲ କଲେ। ହେଲେ ନିର୍ବାଚନ ପରେ କାଁ ଭାଁ କେତେଜଣ ଚାଷୀଙ୍କୁ ଟଙ୍କା ଦେଇ ଚୁପ୍‌ ବସିଯାଇଛନ୍ତି। ଏହି ଯୋଜନାରେ ବାକି ଥିବା ପୁଞ୍ଜିକୃତ ଲକ୍ଷାଧିକ ଚାଷୀଙ୍କୁ ତୁରନ୍ତ ଟଙ୍କା ପ୍ରଦାନ କରିବା, ଭୂମିହୀନଙ୍କୁ  କିସ୍ତି, ରାଜ୍ୟ ସରକାର କୃଷକ ପରିଚୟପତ୍ର, କୃଷକନିଧି ଯୋଜନାରେ ସାହାଯ୍ୟ ପାଇଁ ରାଜ୍ୟ ସରକାର କୃଷକ ପରିଚୟ କେନ୍ଦ୍ରକୁ ଦିଅନ୍ତୁ। ଆନ୍ତର୍ଜାତିକ ବଜାର ଅଶୋଧିତ ତୈଳ ଦରକୁ ନେଇ କେନ୍ଦ୍ରସରକାର ନାଟକ ବାଜି ବନ୍ଦ କରିବା ସହ ଗ୍ୟାସ୍‌, ପେଟ୍ରୋଲ ଓ ଡିଜେଲ ଦରକୁ ହ୍ରାସ କରି ଦରଦାମ୍‌ ନିୟନ୍ତ୍ରଣ କରନ୍ତୁ ା ଜମାକାରୀଙ୍କୁ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ଆଦି ଦାବି କରାଯାଇଥିଲା। ପରେ ଏକ ପ୍ରତିନିଧି ଦଳ ତହସିଲଦାର  ଟୁଡୁଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।