Categories: ମେଟ୍ରୋ

ନିର୍ବାଚନ ପାଇଁ ପୋଲିସ କମିଶନରଙ୍କ ବୈଠକ: ଟ୍ବିନ୍‌ସିଟିରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୨୧ା୪ (ବ୍ୟୁରୋ)- କଟକ ଓ ଭୁବନେଶ୍ୱରରେ ଶୃଙ୍ଖଳିତ ତଥା ସୁରକ୍ଷିତ ନିର୍ବାଚନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର ପୋଲିସ ଜିଲାରେ ୫୦ ଓ କଟକରେ ୬୦ ମୋବାଇଲ୍‌ ପାର୍ଟି ଗଠନ କରାଯାଇଛି। ଗୋଟିଏ ମୋବାଇଲ୍‌ ପାର୍ଟି ଅଧୀନରେ ୧୨ ବୁଥ୍‌ ରହିଛି। ୧୦ ମୋବାଇଲ୍‌ ପାର୍ଟି ଦାୟିତ୍ୱରେ ଜଣେ ଏସ୍‌ପି ର଼୍ୟାଙ୍କର ଅଫିସର ରହିବେ। ପ୍ରତି ବୁଥ୍‌ରେ ଜଣେ ସେକ୍ଟର ଅଫିସର ରହିବେ। ସେହିଭଳି ଜୋନ୍‌ ସ୍ତରରେ  ଜୋନାଲ ଅଫିସର ରହିବେ। ଗୋଟିଏ ବିଧାନସଭା କ୍ଷେତ୍ର ପାଇଁ ଜଣେ ଡିସିପି ର଼୍ୟାଙ୍କ୍‌ର ଅଫିସର ଦାୟିତ୍ୱରେ ରହିବେ। ଅନ୍ୟପକ୍ଷରେ ସମ୍ବେଦନଶୀଳ ବୁଥ୍‌ରେ ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ ଫୋର୍ସ ରହିବେ। ସମୁଦାୟ ୬ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

ଶନିବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଆଲୋଚନା ଅନୁସାରେ, ବୁଥ୍‌ଗୁଡିକ ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀ ଶୀଘ୍ର କ୍ଷେତ୍ରସ୍ଥଳକୁ ଯିବେ। ଭୁବନେଶ୍ୱର ପୋଲିସ ଜିଲାରେ ୧୧୦୭ ବୁଥ୍‌ ମଧ୍ୟରୁ ୪୮୫ ସମ୍ବେଦନଶୀଳ। ଏଥିପାଇଁ ୨ଟି କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଇଛି। ସେହିଭଳି ୨୦ ଜଣ ପ୍ରଥମ ସେକ୍ଟର ଅଫିସର ଓ ୯୪ ଜଣ ଦ୍ୱିତୀୟ ସେକ୍ଟର ଅଫିସର ରହିଛନ୍ତି। ୧୧ଜଣ ଅତିରିକ୍ତ ଡିସିପି ର଼୍ୟାଙ୍କ୍‌ର ଅଫିସର ସୁପରିଭିଜନରେ ରହିବେ। ୧୪ ଫ୍ଲାଇଂ ସ୍କ୍ବାଡ୍‌ ଓ ୧୪ ଷ୍ଟାଟିକ୍‌ ସର୍ଭିିଲାନ୍ସ ଟିମ୍‌ ରହିବ।  ୬ଜଣ ଅତିରିକ୍ତ ଡିସିପି, ୩୩ଜଣ ଇନ୍ସପେକ୍ଟର, ୨୮୪ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୨୦୩ ଜଣ ହାବିଲଦାର, ୧୩୯୯ ଜଣ କନ୍‌ଷ୍ଟେବଳ, ୩୮୪ ଏପିଆର, ହୋମ୍‌ଗାର୍ଡ ୧୧୨୧ ଓ ୧୧ଜଣ ଜିଆର ନିୟୋଜିତ ରହିବେ।

କଟକ ପୋଲିସ ଜିଲା ଅଧୀନରେ ୭୦୯ ବୁଥ୍‌ ମଧ୍ୟରୁ ୨୫୩ ସମ୍ବେଦନଶୀଳ। ଏଥିପାଇଁ ୨ କଣ୍ଟ୍ରୋଲ ରୁମ୍‌ ଖୋଲିଥିବାବେଳେ ୧୪ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌,  ୭ ଷ୍ଟାଟିକ୍‌ ସର୍ଭିଲାନ୍ସ ଟିମ୍‌ ଗଠନ କରାଯାଇଥିବାବେଳେ ୧୭ଜଣ ସେକ୍ଟର ଅଫିସର ଓ ୧୮ଜଣ ସୁପରିଭିଜନ ଅଫିସର ରହିବେ। ସେହିଭଳି ୧୦ଜଣ ଡିଏସ୍‌ପି, ୨୪ଜଣ ଇନ୍ସପେକ୍ଟର, ୨୦୭ ଏସ୍‌ଆଇ/ଏଏସ୍‌ଆଇ, ୭୨ ଜଣ ହାବିଲଦାର, ୬୦୦ଜଣ କନଷ୍ଟେବଳ, ୨୫୩ଜଣ ଏପିଆର, ୩୫୦ ଜଣ ଓଏପିଏଫ୍‌, ୪୩୦ ହୋମ୍‌ଗାର୍ଡ ଏବଂ ୧୨୪ ଜଣ ଜିଆର୍‌ ନିୟୋଜିତ ରହିବେ।

Share