ନିର୍ବାଚନ ପାଇଁ ରିକ୍ୟୁଜିଶନ ହେଲା ଦୁଇ ଚକିଆ ଯାନ: ଥାନାକୁ ବାଇକ୍‌ ଟାଣି ଆଣିଲା ପୋଲିସ

ଅନୁଗୋଳ ଅଫିସ, ୨୦।୪- ନିର୍ବାଚନ ପାଇଁ ଦୁଇ ଚକିଆ ଯାନ ରିକ୍ୟୁଜିଶନ ଯୋଗୁ ଅନୁଗୋଳ ପୋଲିସ ଲୋକଙ୍କଠାରୁ ବାଇକ୍‌ ସଂଗ୍ରହ କରିଛି। ତେବେ ପୋଲିସ ବିନା ସୂଚନାରେ ହଠାତ୍‌ ଲୋକମାନଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କ ବାଇକ୍‌ ଥାନାକୁ ନେଇଯିବା ପ୍ରଥମେ କିଛି ବୁଝାପଡି ନ ଥିଲା। ନିର୍ବାଚନ ପାଇଁ ବାଇକ୍‌ ଏକଜୁଟ କରାଯାଉଥିବା ପଛରେ ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଶୁକ୍ରବାର ପୂର୍ବାହ୍ନରେ ପୋଲିସ ହଠାତ୍‌ ଲୋକଙ୍କୁ ଅଟକାଇ ସେମାନଙ୍କ ଗାଡ଼ିକୁ ଥାନାକୁ ନେଇଯାଇଥିଲା। କୌଣସି କାରଣ ନ ଦର୍ଶାଇ ପୋଲିସର ଏପରି କାର୍ଯ୍ୟକୁ ନେଇ ସହରରେ କୌଣସି ଅପରାଧ କିମ୍ବା ଅଘଟଣ ଘଟିଥିବା ଲୋକେ ସନ୍ଦେହ କରିଥିଲେ। କିନ୍ତୁ ନିର୍ବାଚନରେ ନିୟୋଜିତ ପାଇଁ ଗାଡ଼ି ରିକ୍ୟୁଜିସନ୍‌ କରିବାକୁ ପୋଲିସ ଏଭଳି କରୁଥିବା ପରେ ଜଣାପଡିଥିଲା। ଜିଲାରେ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ଗାଡ଼ି ରିକ୍ୟୁଜିଶନ୍‌ କରାଯାଇଛି। ସମୁଦାୟ ୧୯୦୨ଟି ଗାଡ଼ି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଦୁର୍ଗମ ଅଞ୍ଚଳକୁ ଦୁଇ ଚକିଆ ଯାନର ଆବଶ୍ୟକ ପଡ଼ିବାରୁ ପ୍ରଶାସନ ପକ୍ଷରୁ ଏଭଳି କରାଯାଇଥିଲା। ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଗାଡ଼ି ଅଟକ ରଖିବା ପରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପରେ ପୋଲିସ କିଛି ଗାଡ଼ି ଛାଡ଼ି ୪୦ରୁ ଊଦ୍ଧର୍‌ବ ଗାଡ଼ି ରାତି ସୁଦ୍ଧା ଥାନା ପରିସରରେ ରଖିଥିବା ଜଣାପଡ଼ିଛି। ଦୁର୍ଗମ ଅଞ୍ଚଳକୁ ଏହି ଗାଡ଼ିଗୁଡ଼ିକ ଯିବ। ପୋଲିସ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀମାନେ ଏହାକୁ ବ୍ୟବହାର କରିବେ। ନିର୍ବାଚନ ସରିବା ପରେ ଗାଡ଼ିଗୁଡିକୁ ଫେରସ୍ତ କରାଯିବ। ଆଉ ତା ବାବଦକୁ ୧୦ ଲିଟର ତେଲ ପ୍ରତ୍ୟେକ ଦିନ ହିସାବରେ ଗାଡ଼ି ମାଲିକଙ୍କୁ ଅର୍ଥ ପ୍ରଦାନ କରାଯିବ ବୋଲି ପୋଲିସ କହିଥିବା ଜଣାପଡିଛି। ଏ ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ଜରୁରିକାଳୀନ ପରିସ୍ଥିତିରେ ଦୁଇ ଚକିଆ ଗାଡ଼ିର ଆବଶ୍ୟକ ପଡ଼ିଲା। ତେଣୁ ଗାଡ଼ିଗୁଡ଼ିକ ରଖିବା ପାଇଁ ବାଧ୍ୟ ହେଲୁ। ଜିଲାର ଆଠମଲ୍ଲିକ ଓ ପାଲଲହଡ଼ା ନିର୍ବାଚନ ମଣ୍ଡଳୀକୁ ରିକ୍ୟୁଜିଶନ୍‌ ହୋଇଥିବା ଗାଡ଼ିଗୁଡ଼ିକ ପଠାଯିବ ବୋଲି ସେ କହିଥିଲେ। ତେବେ କେତୋଟି ଗାଡ଼ି ପଠାଯିବ ସେ ନେଇ ଠିକ୍‌ ତଥ୍ୟ ପ୍ରଦାନ କରିପାରି ନ ଥିଲେ। ଏପରିକି ଗାଡ଼ି ବାବଦକୁ କେତେ ଟଙ୍କା ପ୍ରଦାନ କରାଯିବ ସେନେଇ ସ୍ଥିର ହୋଇ ନ ଥିବା ମଧ୍ୟ ଜିଲାପାଳ କହିଛନ୍ତି।

Share