Categories: ବାଣିଜ୍ୟ

ନିର୍ବାଚନ ଫଳାଫଳ ଉପରେ ଆମେରିକା କମ୍ପାନୀଙ୍କ ନଜର;ଚାଇନା ଛାଡି ଭାରତରେ କରିବେ ନିବେଶ

ନୂଆଦିଲ୍ଲୀ,୨୨-୫: ଦେଶର ସାଧାରଣ ନିର୍ବାଚନ ଫଳାଫଳକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବଢି ଚାଲିଥିବା ବେଳେ ଏହା ଉପରେ ଆମେରିକା କମ୍ପାନୀଙ୍କ ନଜରରେ ରହିଛି। କେନ୍ଦ୍ରରେ ଏନ୍‌ଡିଏ ସରକାର ଶାସନ କ୍ଷମତାକୁ ଫେରିଲେ ଆମେରିକା କମ୍ପାନୀଗୁଡିକ ଚାଇନା ପରିବର୍ତ୍ତେ ଭାରତ ବଜାରକୁ ନିବେଶ କ୍ଷେତ୍ରରେ ପ୍ରାଥମିକତା ଦେବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗୋଟିଏ ପଟେ ଆମେରିକା ଚାଇନା ବାଣିଜ୍ୟ ଯୁଦ୍ଧ ଲାଗି ରହିଥିବା ବେଳେ ଭାରତ ଏହି କ୍ଷେତ୍ରରେ କମ୍ପାନୀଗୁଡିକ ଲାଗି ଏକ ପ୍ରମୁଖ ବିକଳ୍ପ ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। କେନ୍ଦ୍ରରେ ଏକ ମଜଭୁତ ସରକାର ଆସିଲେ ବ୍ୟବସାୟ ଏବଂ ନିବେଶ କ୍ଷେତ୍ରରେ ଅନୁକୂଳ ସ୍ଥିତି ଉପୁଜିବ ବୋଲି କମ୍ପାନୀଗୁଡିକ ଭାବୁଛନ୍ତି।
ରବିବାର ଏକ୍‌ଜିଟ ପୋଲ୍‌ ଫଳାଫଳ ପ୍ରକାଶ ପାଇଥିବା ବେଳେ ଏନ୍‌ଡିଏକୁ ବହୁମତ ମିଳିବ ବୋଲି ଆକଳନ କରାଯାଇଛି। ଏହାକୁ ନେଇ ବିଦେଶୀ କମ୍ପାନୀଗୁଡିକ ବେଶ୍‌ ଉତ୍ସାହିତ ଅଛନ୍ତି। ଆର୍ଥତ୍କ ବିଶେଷଜ୍ଞ ମାନେ କହିଛନ୍ତି ଯେ, ଆଗାମୀ ସରକାର ଢାଞ୍ଚାଗତ ଭାବେ ଦୃଢ ଏବଂ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା ନେଇ ଆଶା ରହିଛି। ଏହା ହେଲେ କମ୍ପାନୀଗୁଡିକ ଭାରତରେ ବୃହତ୍‌ ନିବେଶ ଲାଗି ମନ ବଳାଇବେ। ଭାରତ ଆମେରିକା ଷ୍ଟ୍ରାଟେଜିକ ଏବଂ ପାର୍ଟନରଶିପ ପ୍ଲାଟଫର୍ମର ଅଧ୍ୟକ୍ଷ ମୁକେଶ ଅଘି କହିଛନ୍ତି ଯେ, ଅଧିକାଂଶ ଆମେରିକା କମ୍ପାନୀଙ୍କ ନଜର ୨୩ ମେ’ର ନିର୍ବାଚନ ଫଳାଫଳ ଉପରେ ରହିଛି। ଏଭଳି ସମୟରେ ଆମେରିକା ସମେତ ୟୁରୋପୀୟ କମ୍ପାନୀଗୁଡିକୁ ଘରୋଇ ବଜାରକୁ ଆକୃଷ୍ଟ କରିବା ଲାଗି ଅବସର ଭାରତ ନିକଟରେ ରହିଛି। ଚାଇନା ସହ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ଫାଇଦା ଭାରତ ଲାଭ କରିବାର ସମ୍ଭାବନା ଉପୁଜିଛି।
ଚାଇନା-ଆମେରିକା ବାଣିଜ୍ୟ ଯୁଦ୍ଧ ଯୋଗୁ କମ୍ପାନୀଗୁଡିକ କ୍ଷତି ସହୁଛନ୍ତି। ଏଭଳି ସ୍ଥିତିରେ ପ୍ରାୟ ୨୦୦ ଆମେରିକୀୟ କମ୍ପାନୀ ଭାରତରେ ମାନୁଫାକଚରିଂ ହବ୍‌ ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି। ୨୩ ମେ’ର ଫଳାଫଳ ଏଥି ଲାଗି ବିଶେଷ ଗୁରୁତ୍ୱ ବହନ କରୁଛି। ମୋଦି ସରକାର ପୁଣି ଥରେ କ୍ଷମତାକୁ ଫେରିଲେ ନିବେଶ କରିବା ସହଜ ହେବା ସହ ନିୟମ ସରଳୀକରଣ, ନିଷ୍ପତ୍ତି ପ୍ରକ୍ରିୟା ତ୍ୱରିତ ହେବା ଏବଂ ଦୁର୍ନୀତି କମିବ ବୋଲି କମ୍ପାନୀଗୁଡିକ ଚିନ୍ତା କରୁଛନ୍ତି। କମ୍ପାନୀଗୁଡିକୁ ଭାରତରେ ଭଲ ପରିବେଶ ମିଳିଲେ ସେମାନେ ଏଠାରେ ନିଜର ହବ୍‌ ସ୍ଥାପନ କରିବେ। ଏହା ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଅନୁକୂଳ ପ୍ରଭାବ ପକାଇବ। ନିବେଶ ବଢିଲେ ନିଯୁକ୍ତି ମଧ୍ୟ ବୃଦ୍ଧି ଘଟିବ। ଏହା ବାଦ ବାଣିଜ୍ୟ ନିଅଣ୍ଟ ମଧ୍ୟ କମିବ। ବର୍ତ୍ତମାନ ରପ୍ତାନୀ ତୁଳନାରେ ଆମଦାନୀ ବୃଦ୍ଧି ହେବାରୁ ଦେଶ ଉପରେ ଏହା ଗଭୀର ଭାବେ ପ୍ରଭାବ ପକାଉଛି।

Share