ନିର୍ବାଚନ ଲାଗି ମୟୂରଭଞ୍ଜରେ ସୁରକ୍ଷା କଡ଼ାକଡ଼ି ; ୫ ଶହରୁ ଊର୍ଦ୍ଧ୍ୱ ବୁଥ୍‌ରେ ସିସି ଟିଭି କ୍ୟାମେରା

ବାରିପଦା ଅଫିସ,୨୯।୪- ମୟୂରଭଞ୍ଜ ଲୋକ ସଭା ଆସନ ଅଧୀନ ୭ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ବାଲେଶ୍ୱର ଲୋକ ସଭା ଆସନରେ ସାମିଲ ହୋଇଥିବା ଏହି ଜିଲାରେ ବଡସାହି ନିର୍ବାଚନମଣ୍ଡଳୀରେ ସୋମବାର  ଅନୁଷ୍ଠିତ ହେଉଥିବା ନିର୍ବାଚନ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଜିଲାରେ ଥିବା ମୋଟ ୯ ଟି ବିଧାନସଭା ଆସନ ମଧ୍ୟରୁ  କରଞ୍ଜିଆ  ଆସନ କେନ୍ଦୁଝର ଲୋକ ସଭା କ୍ଷେତ୍ରରେ ଥିବାରୁ ସେଠାରେ ୩ୟ ପର୍ଯ୍ୟାୟରେ ଭୋଟ ହୋଇ ଯାଇଛି।

ଜିଲାର ୮  ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ ହେବ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ମୟୂରଭଞ୍ଜ ଲୋକ ସଭା ଆସନ ସହିତ ୮ ବିଧାନସଭା ଆସନରେ ମୋଟ ୮୧ ପ୍ରାର୍ଥୀ ରହିଛନ୍ତି।  ମୟୂରଭଞ୍ଜ ଲୋକ ସଭା ଆସନ ସକାଶେ ୮ ପ୍ରାର୍ଥୀ ମଇଦାନରେ ଥିବାବେଳେ ସାରସକଣା ବିଧାନସଭା ଆସନରେ ୧୦ ଜଣ, ଉଦଳା ବିଧାନସଭା ଆସନରେ ୫, ମୋରଡା ବିଧାନସଭା ଆସନରେ ୧୩ ପ୍ରାର୍ଥୀ ରହିଛନ୍ତି। ସେହିପରି  ବାଙ୍ଗିରିପୋଷି ଆସନରେ ୧୧, ବଡସାହି ଆସନରେ ୮, ବାରିପଦା ଆସନରେ ୭ ,  ରାଇରଙ୍ଗପୁର ଆସନରେ ୯  ଓ ଯଶୀପୁର ଆସନରେ ୧୦ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି।

ଏହି ୮ ଟି ନିର୍ବାଚନମଣ୍ଡଳୀରେ ମୋଟ ୨ ହଜାର ୧ ଶହ ୨୩ଟି ବୁଥ ଖୋଲାଯାଇଛି।  ସେଥିରୁ ୪୮ ଟି ଅତି ସମ୍ବେଦନଶୀଳ ଓ ୧୩୮ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ବୁଥ୍‌ରେ ସିସିଟିଭି କ୍ୟାମେରା ଲଗାଯାଇଛି। ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି  ୧୩ ହଜାର ୯୬୨ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ରବିବାର ସକାଳ ସୁଦ୍ଧା ବୁଥ୍‌ରେ ସମସ୍ତ କର୍ମଚାରୀ ପହଞ୍ଚି ସାରିଛନ୍ତି।  ମୋଟ ୧୬ ଲକ୍ଷ ୮୦ ହଜାର ୧୨ ଭୋଟର ଏହି ନିର୍ବାଚନରେ ମତଦାନ କରିବେ। ସେମାନଙ୍କ ମଧ୍ୟରେ ୮ ଲକ୍ଷ ୨୫ ହଜାର ୨୫ ମହିଳା ଓ ୮ ଲକ୍ଷ ୨୩ ହଜାର ୬୪୪ ପୁରୁଷ ଭୋଟର ରହିଛନ୍ତି। ଚଳିତ ନିର୍ବାଚନରେ ୨୮ ହଜାର ୪୦ ଜଣ ନୂଆ ଭୋଟର ପ୍ରଥମ ଥର ଭୋଟ ଦେବେ। ଭୋଟ ଗ୍ରହଣ ପରେ ଇଭିଏମଗୁଡ଼ିକୁ  ସିଲ୍‌ କରାଯାଇ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ପାଇଁ କରାଯାଇଥିବା ଷ୍ଟ୍ରଙ୍ଗ ରୁମରେ ରଖାଯିବ। ସମସ୍ତ ଦଳୀୟ ପ୍ରାର୍ଥୀଙ୍କ ଉପସ୍ଥିତିରେ ଏହି ଷ୍ଟ୍ରଙ୍ଗରୁମକୁ ସିଲ୍‌ କରାଯିବ । ଆସନ୍ତା ମେ ୨୩ ତାରିଖରେ ହେବ  ଭୋଟ ଗଣତି।