Categories: ରାଜ୍ୟ

ନିର୍ବାଚନ ସମୟରେ ୩ ଦିନ ସ୍କୁଲ ବନ୍ଦ: ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ମହାକାଳପଡା,୨୩ା୭(ଡି.ଏନ୍‌.ଏ.)- ପାଟକୁରାରେ ନିର୍ବାଚନ ପାଇଁ ମହାକାଳପଡା ବ୍ଲକର ଏକ ବିଦ୍ୟାଳୟ ୩ ଦିନ ବନ୍ଦ ରହିଥିଲା। ଏହାକୁ ବିରୋଧ କରି ଅଭିଭାବକମାନେ ସୋମବାର ସମ୍ପୃକ୍ତ ବିଦ୍ୟାଳୟରେ ତାଲା ପକେଇ ଦେଇଥିଲେ। ପୋଲିସର ଏକ ଟିମ୍‌ ପହଞ୍ଚତ୍ ସମସ୍ୟାର ସମାଧାନ କରିବା ପରେ ତାଲା ଖୋଲାଯାଇଥିଲା।
ସୂଚନାଯୋଗ୍ୟ, ପାଟକୁରା ବିଧାନସଭା ଆସନ ପାଇଁ ଗତ ୨୦ ତାରିଖରେ ମତଦାନ ଥିଲା। ନିର୍ବାଚନରେ ସହଯୋଗ କରିବା ପାଇଁ ଏହି ବ୍ଲକର ବଡ଼ହି ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁରର ଉତ୍ସବେଶ୍ୱର ହାଇସ୍କୁଲକୁ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀମାନେ ସରକାରୀ ନିୟମ ଅନୁସାରେ ଏହି ସମୟରେ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ଥିଲେ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି। ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ କିପରି ବିଧାନସଭା ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଗଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସ୍କୁଲରେ ନବମ ଓ ଦଶମ ଶ୍ରେଣୀରେ ୬୯ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ପିଲାଙ୍କ ଭବିଷ୍ୟତ ଦୃଷ୍ଟି ଦିଆଯାଇନାହିଁ ବୋଲି ଅଭିଭାବକମାନେ ଅଭିଯୋଗ କରି ବିଦ୍ୟାଳୟରେ ତାଲା ପକେଇଦେଇଥିଲେ। ଖବରପାଇ ଜିଲା ଶିକ୍ଷା ଅଧିକାରିଣୀ କଳ୍ପନା ବେହେରା ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ପରେ ତନ୍ତିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ବିଦ୍ୟାଳୟର ତାଲା ଖୋଲାଯାଇଥିଲା। ଏସମ୍ପର୍କରେ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା କହିଛନ୍ତି,ବିଦ୍ୟାଳୟ ବନ୍ଦ ହେବା ସମ୍ପର୍କରେ ସୂଚନା ମିଳିଛି। ଏନେଇ ତଦନ୍ତ କରାଯିବା ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share