Categories: ଜାତୀୟ

ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ ଦେବାପାଇଁ ଆଗ୍ରହୀ

ଶିମଲା,୫ା୧୨(ଆଇଏଏନ୍‌ଏସ୍‌): ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ ଦେବା ପାଇଁ ହିମାଚଳପ୍ରଦେଶର ଦଳିତ କର୍ମୀ ରବିକୁମାର ଆଗ୍ରହ ପ୍ରକାଶ କରିଛନ୍ତି। ତିହାର ଜେଲ୍‌ରେ ତାଙ୍କୁ ଅସ୍ଥାୟୀ ଭାବେ ଘାତକ ନିଯୁକ୍ତ କରିବା ପାଇଁ ରବିକୁମାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିଛନ୍ତି। ଲମ୍ବା ନିଶ ରଖିଥିବା ୪୦ ବର୍ଷୀୟ ରବିକୁମାର ଜଣେ ପରିବା ବ୍ୟବସାୟୀ। ସେ ଶିମଲାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ୨୦୧୯ ଲୋକ ସଭା ନିର୍ବାଚନ ଲଢ଼ିଥିଲେ। ତିହାର କିମ୍ବା ମଣ୍ଡୋଲି ଜେଲ୍‌ରେ ଫାଶୀ ଦେବା ପାଇଁ କେହି ଘାତକ ନ ଥିବା ଦିଲ୍ଲୀ ଜେଲ୍‌ ମହାନିର୍ଦ୍ଦେଶକ ସନ୍ଦିପ୍‌ ଗୋୟଲ କହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଦିଲ୍ଲୀ ପାରାମେଡିକାଲ ଛାତ୍ରୀ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୪ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ମିଳିଥିଲା। ସେମାନଙ୍କ ମଧ୍ୟରୁ କେବଳ ବିନୟ କୁମାର ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲେ। ତାଙ୍କ ଆବେଦନକୁ ଦିଲ୍ଲୀ ଉପରାଜ୍ୟପାଳ ଖାରଜ କରିଦେଇଛନ୍ତି। ଏ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସେ ସୁପାରିସ କରିଥିବାରୁ ଖୁବ୍‌ଶୀଘ୍ର ଅପରାଧୀମାନଙ୍କୁ ଫାଶୀ ମିଳିବା ସମ୍ଭାବନା ରହିଛି। ତେବେ ଏଥିପାଇଁ ଚିନ୍ତା କରିବାର କିଛି ନାହିଁ। ଆବଶ୍ୟକ ପଡିଲେ ଅନ୍ୟ ରାଜ୍ୟରୁ ଘାତକ ଡକାଯିବ ବୋଲି ଗୋୟଲ କହିଥିଲେ।

Share