Categories: ଜାତୀୟ

ନିର୍ଭୟା ମାମଲାରେ ପଓ୍ବନଙ୍କ ଆବେଦନ ଖାରଜ:ଓକିଲଙ୍କୁ ୨୫ ହଜାର ଜରିମାନା

ଲକ୍ଷ୍ନୌ,  ୨୦।୧୨(ପି.ଟି.):ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ୪ ଦୋଷୀଙ୍କ ମଧ୍ୟରୁ ପଓ୍ବନ କୁମାର ଗୁପ୍ତା ଅପରାଧ ଘଟାଇବା(୨୦୧୨ ଡିସେମ୍ବର)ବେଳେ ନାବାଳକ ଥିବା ନେଇ କରିଥିବା ଆବେଦନକୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟଙ୍କ ସମୟ ଅଯଥା ନଷ୍ଟ କରିଥିବାରୁ ବିଚାରପତି ସୁରେଶ କୁମାର କୈଟ୍‌ ଏଥିଲାଗି ପଓ୍ବନଙ୍କ ଓକିଲ ଏ.ପି. ସିଂଙ୍କ ବିରୋଧରେ ୨୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି। କୋର୍ଟରୁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେ ଲୁଚକାଳି ଖେଳିବା ନେଇ ବିଚାରପତି ବିରକ୍ତି ପ୍ରକାଶ କରିଥିଲେ। କୋର୍ଟରେ ଦାଖଲ ହୋଇଥିବା ଦୋଷୀଙ୍କ ବୟସ ସମ୍ପର୍କିତ ସତ୍ୟପାଠ ଜାଲ୍‌ ହୋଇଥିବାରୁ ଦିଲ୍ଲୀ ବାର୍‌ ଆସୋସିଏଶନ ଓକିଲ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଥାଉ କି, ୨୦୧୨ ଡିସେମ୍ବର ୧୬ ରାତିରେ ପାରାମେଡ଼ିକାଲ ଛାତ୍ରୀ(୨୩)ଙ୍କୁ ଚଳନ୍ତା ବସ୍‌ରେ ଗଣବଳାତ୍କାର କରାଯାଇ ରାସ୍ତାରେ ପିଙ୍ଗିଦିଆଯାଇଥିଲା। ପରେ ପୀଡ଼ିତା ଚିକିତ୍ସାଧୀନ ଅବସ୍ଥାରେ ସିଙ୍ଗାପୁର ହସ୍ପିଟାଲରେ ପ୍ରାଣ ହରାଇଥିଲେ।

Share