ନୂଆଦିଲ୍ଲୀ,୫।୩: ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବାଲାଗି ଗୁରୁବାର ନୂଆ ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଛି। ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଏମାନଙ୍କୁ ଫାଶୀ ଦିଆଯିବାକୁ କୋର୍ଟ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି। ଏହାପରେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏ.ପି. ସିଂ ବିଚଳିତ ହୋଇପଡିଥିବା ଦେଖିବାକୁ ମିଳିଥିଲା। ଡେଥ୍ ଓ୍ବାରେଣ୍ଟ ଜାରି ହେବାର କିଛି ସମୟ ପରେ ସେ କୋର୍ଟ ବାହାରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ବିଚଳିତ ଥିବା ଜଣାପଡୁଥିଲେ। ସେ ଯେମିତି ତାଙ୍କର ସମସ୍ତ ରାଗ ଗଣମାଧ୍ୟମ ଉପରେ ସୁଝାଇବା ମୁଡରେ ଥିବା ଜଣାପଡୁଥିଲେ। ୩ଥର ଫାଶୀ ତାରିଖକୁ ଘୁଞ୍ଚାଇ ଦେଇଥିବା ଓକିଲ ଏପି ସିଂ ଏଥର ମଧ୍ୟ ଆଇନରେ ଆହୁରି କିଛି ବ୍ୟବସ୍ଥା ବାକି ରହିଛି ବୋଲି କହିଥିଲେ। ଏହାସହ ଦୋଷୀଙ୍କୁ କୋର୍ଟ ୩ଥର ଫାଶୀ ଦେଇସାରିଥିବା ବେଳେ ଆଉ କେତେଥର ଫାଶୀ ଦେବେ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ। ଏମିତିକି ସେମାନେ ଶିକ୍ଷିତ ଓ ଜେଲ ମଧ୍ୟରେ ସମସ୍ତ ୪ ଦୋଷୀଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଛି ବୋଲି ମଧ୍ୟ ଚିତ୍କାର କରି କହିଥିଲେ ସିଂ। ତାଙ୍କର ଏସବୁ କଥାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।