Categories: ଜାତୀୟ

ନିର୍ଭୟା ମାମଲା: ଫେବୃୟାରୀ ୧ରେ ଦୋଷୀଙ୍କୁ ଦିଆଯିବନି ଫାଶୀ

ନୂଆଦିଲ୍ଲୀ,୩୧।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଦିଲ୍ଲୀର ପଟିଆଲା ହାଉସକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଫେବୃୟାରୀ ୧ରେ ଏହି ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଡେଥ୍‌ ଓ୍ବାରେଣ୍ଟ ଉପରେ କୋର୍ଟ ରହିତା ଦେଶ ଜାରି କରିଛନ୍ତି। କେବେ ଫାଶୀ ଦିଆଯିବ ତାହା ମଧ୍ୟ କୋର୍ଟ ସ୍ଥିର କରି ନାହାନ୍ତି। କେତେଗୁଡିଏ ଆଇନଗତ ଦିଗ ବାକି ଥିବାରୁ ପରବର୍ତ୍ତି ତାରିଖ ଘୋଷଣା କରାଯାଇ ନ ଥିବା କୋର୍ଟ କହିଛନ୍ତି। ଫେବୃୟାରୀ ୧ରେ ନିର୍ଭୟା ଗଣମଳାତ୍କାର ମାମଲାର ୪ ଦୋଷୀ ଅକ୍ଷୟ ଠାକୁର, ମୁକେଶ ସିଂ, ବିନୟ ଶର୍ମା ଓ ପବନ ଗୁପ୍ତାଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମେ ଏହି ତାରିଖ ଜାନୁୟାରୀ ୨୨ ସ୍ଥିର କରାଯାଇଥିବା ବେଳେ ପୁଣିଥରେ ଦୋଷୀଙ୍କ କ୍ଷମା ଆବେଦନକୁ ନେଇ ଏହା ଫେବୃୟାରୀ ୧କୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ଏହି ତାରିଖକୁ ଘୁଞ୍ଚାଇ ଦେବାକୁ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଆବେଦନ କରିଥିବା ବେଳେ ପୁଣିଥରେ ଏହି ତାରିଖ ଘୁଞ୍ଚିଯାଇଛି। ଅନ୍ୟପଟେ ନିର୍ଭୟାଙ୍କ ମା’ ଆଶା ଦେବୀ ଅଭିଯୋଗ କରିଛନ୍ତି ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ତାଙ୍କୁ କହିଛନ୍ତି ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ହେବନାହିଁ। ହେଲେ ମୁଁ ମୋର ଲଢେଇ ଜାରି ରଖିବି ବୋଲି ଆଶା ଦେବୀ କହିଛନ୍ତି। ସରକାର ସେମାନଙ୍କୁ ଫାଶୀ ଦେବାର ବ୍ୟବସ୍ଥା କରିବେ ବୋଲି ସେ ପ୍ରକାଶ କରିଛନ୍ତି।

Share