Categories: ଜାତୀୟ

ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ହେବନାହିଁ ଫାଶୀ!

ନୂଆଦିଲ୍ଲୀ,୬।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଫାଶୀ ତାରିଖ ଯେତିକି ବିଳମ୍ବ ହେଉଛି ଏହାକୁ ନେଇ ସେତିକି ନୂଆ ଖବର ସାମ୍ନାକୁ ଆସୁଛି। ଏବେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଫାଶୀ ଦେବାକୁ ସ୍ଥିର କରାଯାଇଥିବା ବେଳେ ଏନେଇ ଚତୁର୍ଥ ଥର ଲାଗି ନୂଆ ଡେଥ୍‌ ଓ୍ବାରେଣ୍ଟ ମଧ୍ୟ ଜାରି କରାଯାଇଛି। ଏବେ ଏହି ମାମଲାରେ ଟୁଇଷ୍ଟ ଆସିଛି। ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ କୁମାର ସିଂ ନିଜର ପୂର୍ବ ଓକିଲଙ୍କୁ ଦୋଷାରୋପ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି କୁହାଯାଉଛି। ମୁକେଶ କହିଛନ୍ତି ତାଙ୍କୁ ଜଣାଇ ଦିଆଯାଇ ନ ଥିଲା କି କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ୩ ବର୍ଷ ସମୟ ମିଳିଥାଏ। ତେଣୁ ଏବେ ତାଙ୍କର ସମସ୍ତ ଆଇନ ବ୍ୟବସ୍ଥାକୁ ରଦ୍ଦ କରାଯାଇ ଏବେ ତାଙ୍କୁ କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ଅନୁମତି ପ୍ରଦାନ କରାଯାଉ ବୋଲି ସେ କହିଛନ୍ତି। ଏବେ ସେ ଓକିଲ ଏମ୍‌. ଏଲ୍‌. ଶର୍ମାଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ଅଭିଯୋଗ ଦାଖଲ କରିଥିବା ଶୁଣିବାକୁ ମିଳିଛି। ଏଥିରେ ପ୍ରତିପକ୍ଷ ଭାବେ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ଆମିକସ କ୍ୟୁରୀ(କୋର୍ଟ ପରାମର୍ଶଦାତା)ଙ୍କୁ ରଖାଯାଇଛି। ଏଥିରେ କୁହାଯାଇଛି କି ମୁକେଶଙ୍କ ରିଭ୍ୟୁ ପିଟିସନ ଖାରଜ ହେବାର ୩ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କ୍ୟୁରେଟିଭ ପିଟିସନ ଦାଖଲ କରିବାର ସମୟ ଥିଲା। ଯାହା ଜୁଲାଇ ୨୦୨୧ପର୍ଯ୍ୟନ୍ତ ରହିଛି। ଆମିକସ କ୍ୟୁରୀ ଜବରଦସ୍ତ ତାଙ୍କଠାରୁ ଦସ୍ତଖତ କରାଇ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ ବୋଲି ମୁକେଶ ଅଭିଯୋଗ କହିଛନ୍ତି। ଯେଉଁଥିପାଇଁ ସେ ନ୍ୟାୟ ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି ବୋଲି ଦର୍ଶାଇଛନ୍ତି। ଏହାକୁ ଦେଖିବା ପରେ ଆସନ୍ତା ୨୦ରେ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କୁ ଫାଶୀ ହେବା ଲାଗି ସନ୍ଦେହ ପ୍ରକାଶ ପାଇଛି।

Share