Categories: ଜାତୀୟ

ନିର୍ଭୟା ମାମଲା: ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ଦୋଷୀ

ନୂଆଦିଲ୍ଲୀ,୧୭।୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏହି ଡେଥ୍‌ ଓ୍ବାରେଣ୍ଟ ଅନୁଯାୟୀ ମାର୍ଚ୍ଚ ୩ ସକାଳ ୬ଟାରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯିବ। ପଟିଆଲା ହାଉସ୍‌ କୋର୍ଟରେ ପାଖାପାଖି ଏକ ଘଣ୍ଟାର ଶୁଣାଣି ପରେ ଏହି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ସୂଚନାଯୋଗ୍ୟ, ସୋମବାର ଦିନ ପ୍ରାୟ ୨ଟାରୁ ନିର୍ଭୟା ଗଣବଳାତ୍କାର ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମେ ୩ ଦୋଷୀଙ୍କ କ୍ଷମା ଆବେଦନ ଖାରଜ ହୋଇଯିବା ସହ ଅନ୍ୟ ଜଣଙ୍କର କ୍ଷମା ଆବେଦନ ବାକିଥିବା ଦର୍ଶାଯାଇଥିଲା। ହେଲେ ଏହାକୁ ନେଇ ସରକାରୀ ଓକିଲ କହିଥିଲେ ଏଥିପାଇଁ ହାଇକୋର୍ଟ ପକ୍ଷରୁ ଏକ ସପ୍ତାହ ସମୟ ଦିଆଯାଇଥିବା ବେଳେ ଏହା ଗତ ୧୧ ତାରିଖରୁ ଶେଷ ହୋଇଯାଇଛି। ତେଣୁ ଏବେ ଏହି ମାମଲାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯିବ। ଏହାପରେ ବି ଦୋଷୀଙ୍କ ପକ୍ଷର ଲଢୁଥିବା ଓକିଲ ଏ.ପି. ସିଂ ଜଣେ ଦୋଷୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବା ଦର୍ଶାଇଥିଲେ। ସମସ୍ତ ତର୍କ ବିତର୍କ ପରେ କିନ୍ତୁ ଶେଷରେ କୋର୍ଟ ଏହି ମାମଲାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିଥିଲେ। ସୂଚନାେଯୋଗ୍ୟ, ୨୦୧୨ରେ ରାଜଧାନୀ ଦିଲ୍ଲୀରେ ଜଣେ ପାରାମେଡିକାଲ ଛାତ୍ରୀ(ନିର୍ଭାୟା)ଙ୍କୁ ଗଣବଳାତ୍କାର କରାଯିବା ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଦୀର୍ଘ ୭ ବର୍ଷ ପରେ ଏହି ମାମଲାର ରାୟ ପ୍ରକାଶ ପାଇଥିଲା। ଏଥିରେ ୪ ଦୋଷୀଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିଲେ। ହେଲେ ଏହାକୁ ଚ୍ୟାଲେଞ୍ଜ କରି ସମସ୍ତ ଦୋଷୀ ଆଇନର ଆଶ୍ରୟ ନେଇଥିଲେ। ଫଳରେ ୪ ଦୋଷୀଙ୍କ ଫାଶୀ ପାଇଁ ୨ ଥର ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିଲେ ବି ଏହା ପୁଣି ଘୁଞ୍ଚି ଯାଇଥିଲା।

Share