Categories: ବାଣିଜ୍ୟ

ନିର୍ମଳାଙ୍କ ଜବାବ ରଖିଲେ ରାଜନ

ନୂଆଦିଲ୍ଲୀ,୧-୧୧: ରଘୁରାମ ରାଜନ ଏବଂ ମନମୋହନ ସିଂଙ୍କ ସମୟ ଭାରତୀୟ ବ୍ୟାଙ୍କିଙ୍ଗ ଶିଳ୍ପ ଲାଗି ସଙ୍କଟ ସମୟ ଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କିଛିଦିନ ତଳେ ସମାଲୋଚନାରେ କହିଥିଲେ। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ନିର୍ମଳାଙ୍କ ଏହି ସମାଲୋଚନାର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଆରବିଆଇରେ କାର୍ଯ୍ୟ କରିବାର ମୋଟ ଅବଧି ମଧ୍ୟରୁ ଦୁଇ ତୃତୀୟାଂଶ କେବଳ ଏନ୍‌ଡିଏ ସରକାରଙ୍କ ଅଧୀନରେ କଟିଛି। ୨୦୧୩ ସେପ୍ଟେମ୍ବର ୫ଠାରୁ ୨୦୧୬ ସେପ୍ଟେମ୍ବର ଯାଏ ରାଜନ ଆରବିଆଇ ଗଭର୍ନର ଭାବେ କାର୍ଯ୍ୟ କରିଥିଲେ। ଏନ୍‌ପିଏ ସମସ୍ୟା ସହ ଜୁଝୁଥିବା ବ୍ୟାଙ୍କିଙ୍ଗ କ୍ଷେତ୍ରର ସମସ୍ୟା ସୁଧୁରିବା ତାଙ୍କ ସମୟରେ ଆରମ୍ଭ ହୋଇଥିଲା। ଅର୍ଥନୈତିକ ମାନ୍ଦାବସ୍ଥା ସହ ଏବେ ଦେଶର ଅଭିବୃଦ୍ଧି ୫%କୁ ଖସି ଆସିଥିବା ବେଳେ ନୂତନ ପିଢିର ସଂସ୍କାର ଆବଶ୍ୟକତା ଦେଶକୁ ରହିଥିବା ରାଜନ ଗୁରୁତ୍ୱାରୋପ କରିଛନ୍ତି। କଂଗ୍ରେସ ସରକାରଙ୍କ ସମୟରେ କେବଳ ୮ ମାସ ଏବଂ ଏନ୍‌ଡିଏ ସରକାରଙ୍କ ସହ ୨୬ ମାସ କାମ କରିଥିବା ସେ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଛନ୍ତି। ଏହି ଘଟଣା ଉପରେ କୌଣସି ରାଜନୈତିକ ଆରୋପ ପ୍ରତ୍ୟାରୋପ ନ ହେଉ ବୋଲି ରାଜନ କହିଛନ୍ତି। ତାଙ୍କ ସମୟରେ ଏନ୍‌ପିଏ ଅସୁଲ ଧାରା ଆରମ୍ଭ ହୋଇଥିବା ବେଳେ ଏହାକୁ ତ୍ୱରିତ ଭିତ୍ତିରେ ଶେଷ କରିବା ଉପରେ ସେ ମତ ରଖିଛନ୍ତି। ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ଅଣବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକୁ ସହାୟତା, ବ୍ୟାଙ୍କ ପୁଞ୍ଜିକରଣ ଭଳି ପ୍ରସଙ୍ଗରେ ରାଜନ ମତ ରଖିଛନ୍ତି।

Share