Categories: ବାଣିଜ୍ୟ

ନିର୍ମଳାଙ୍କ ହାତରେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୧। ୫: ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ନିର୍ମଳା ସୀତାରମଣଙ୍କୁ ଅର୍ଥମନ୍ତ୍ରଣାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ମୋଦିଙ୍କ ପ୍ରଥମ ପାଳିରେ ସେ ବାଣିଜ୍ୟ ଓ ଉଦ୍ୟୋଗ, ପ୍ରତିରକ୍ଷା ଭଳି ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ। ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରୁ ସେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାମିଲନାଡୁରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମିତ ସୀତାରମଣ ଜେଏନ୍‌ୟୁ କ୍ୟାମ୍ପସରେ ରାଜନୀତି ସହ ଜଡିତ ହୋଇଥିଲେ। କ୍ୟାମ୍ପସରେ ଫ୍ରି ଥିଙ୍କର୍ସ ସୋସାଇଟି ଦ୍ୱାରା ଜଣେ ବନ୍ଧୁଙ୍କ ଲାଗି ସେ କ୍ୟାମ୍ପେନ ମଧ୍ୟ କରିଥିଲେ। ସେହି ସମୟରେ କ୍ୟାମ୍ପସରେ ସବୁଠାରୁ ସକ୍ରିୟ ଥିବା ଏସ୍‌ଏଫ୍‌ଆଇ ଛାତ୍ର ସଙ୍ଗଠନ ପରାଜୟ ଲାଭ କରିଥିଲା। ତାଙ୍କ ସ୍ବାମୀ ପ୍ରଭାକର ପରକଳା ଜେଏନୟୁରେ ଛାତ୍ର ଥିଲେ। ପରବର୍ତ୍ତୀ ସମୟରେ ନିର୍ମଳା ଲଣ୍ଡନରେ ବସବାସ ଲାଗି ସ୍ବାମୀଙ୍କ ସହ ସେଠାକୁ ଚାଲିଯାଇଥିଲେ। ସେ ପ୍ରାଇସଓ୍ବାଟର ହାଉସ୍‌ କପର ସଂସ୍ଥାରେ କାମ କରିଛନ୍ତି। ଏହାବାଦ ଲଣ୍ଡନର ଏକ ଡେକର ଷ୍ଟୋରରେ ସେଲ୍‌ସ ଗାର୍ଲ ଭାବେ ମଧ୍ୟ ସେ କାମ କରିଥିଲେ ଯାହା କାହାକୁ ପ୍ରାୟ ଜଣା ନ ଥିବ।
୧୯୯୧ରେ ଭାରତ ଫେରି ହାଇଦ୍ରାବାଦରେ ଏକ ଅଲ୍‌ଟରନେଟିଭ ଏଜୁକେଶନ ସ୍କୁଲ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ବିଜେପି ନେତ୍ରୀ ସୁଷମା ସ୍ବରାଜଙ୍କ ସହ ତାଙ୍କର ଭେଟ ହେବା ପରେ ୨୦୦୩-୦୫ ମଧ୍ୟରେ ନ୍ୟାଶନାଲ କମିଶନ ଫର ଓମେନରେ ତାଙ୍କୁ ଅବସ୍ଥାପିତ କରାଯାଇଥିଲା। ୨୦୦୬ରେ ବିଜେପିରେ ଯୋଗଦେବା ସହ ଜାତୀୟ କାର୍ଯ୍ୟକାରିଣୀ ପରିଷଦ ଏବଂ ପରେ ଜାତୀୟ ପ୍ରବକ୍ତା ଭାର ସମ୍ଭାଳିଥିଲେ। ପୂର୍ଣ୍ଣକାଳିନ ସମୟ ଲାଗି ଦେଶର ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଭାରତର ଆତଙ୍କବାଦୀ ଅପରେଶନର ଭଏସ ହୋଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରି ନାହାନ୍ତି। ୨୦୧୬ରୁ କର୍ନାଟକରୁ ସେ ରାଜ୍ୟସଭାର ସଦସ୍ୟ ଅଛନ୍ତି।

Share