ନିର୍ମାଣାଧୀନ କୋଠାରୁ ମିଳିଲା ଝୁଲନ୍ତା ମୃତଦେହ

ଭଦ୍ରକ ଅଫିସ, ୨୨।୯- ଭଦ୍ରକ ଜିଲା ବନ୍ତ ଛକ ନିକଟ ଏକ ନିର୍ମାଣାଧୀନ କୋଠାର ୩ ମହଲାରୁ ରବିବାର ଅପରାହ୍ନରେ ଜଣେ ଅଚିହ୍ନା ଯୁବକଙ୍କ ଝୁଲନ୍ତା ଗଳିତ ମୃତଦେହ ଟାଉନ ଥାନା ପୋଲିସ ଉଦ୍ଧାର କରିଛି। ମୃତଦେହର ପାରିପାର୍ଶ୍ୱିକ ଅବସ୍ଥା ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଥାନାଧିକାରୀ ସରୋଜିନୀ ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲା ଚିକିତ୍ସାଳୟକୁ ପଠାଇଛନ୍ତି। ଏ ନେଇ ଟାଉନ ଥାନାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏସ୍‌ଡିପିଓ ଜଳନ୍ଧର ଜାଲି ଓ ଏସ୍‌ପି ରାଜେଶ ପଣ୍ଡିତ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଫେରିଛନ୍ତି।
ଯୁବକଙ୍କ ମୃତଦେହ ଆଣ୍ଠୁ ମାଡ଼ି ମାଟିରେ ଲାଗି ଝୁଲି ରହିଥିବାରୁ ତାଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାରେ ଆଣି ଝୁଲାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ମୃତକ ଆଖପାଖ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟାକାଣ୍ଡ କି ଆମତ୍ହତ୍ୟା ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଉଲ୍ଲେଖନୀୟ ଯେ, ଉକ୍ତ କୋଠାରେ ଅନେକ ଅସାମାଜିକ କାର୍ଯ୍ୟ ଓ ୩ ରୁ ଅଧିକ ହତ୍ୟାକାଣ୍ଡ ଓ ଏକାଧିକ ଅପମୃତ୍ୟୁ ଘଟିଥିବା କାରଣରୁ ଏହା ଅସାମାଜିକ ଯୁବକଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ଭଦ୍ରକ ସହରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି ଯାହାକି ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଛି। କିଛିଦିନ ହେବ ରାତି ପ୍ରାୟ ୧୧ଟା ପରେ ସହରରେ ନାକାବନ୍ଦୀ ଚାଲିଛି। ତଥାପି ଜଣେ ମଧ୍ୟ ଅପରାଧୀଙ୍କ ପୋଲିସ କାବୁ କରିପାରି ନ ଥିବା ଅଭିଯୋଗ ହେଉଛି।