ନିର୍ମାଣାଧୀନ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କଲେ ସିଇସି

ଯୋଡ଼ା/ଚମ୍ପୁଆ,୩୦।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡରେ ନିର୍ମାଣାଧୀନ ପ୍ରକଳ୍ପର କ୍ଷେତ୍ରକୁ ବୁଧବାର ପୂର୍ବାହ୍ନରେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି(ସିଇସି) ପରିଦର୍ଶନ କରିଛନ୍ତି । ଏହି ଟିମ୍‌ ଚମ୍ପୁଆ ନିକଟସ୍ଥ ମିରିଗିସିଙ୍ଗାଠାରେ ବୈତରଣୀ ନଦୀରେ ନିର୍ମାଣାଧୀନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାନରେ ପହଞ୍ଚିଥିଲା। ଏହି ପ୍ରକଳ୍ପ ଓଡ଼ିଶା ଖଣିଜ ସମ୍ପଦ ଅଞ୍ଚଳ ବିକାଶ ନିଗମ (ଓଏମ୍‌ବିଏଡିସି) ଏବଂ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପକ୍ଷରୁ ପ୍ରାୟ ୧୦୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଉକ୍ତ ପ୍ରକଳ୍ପ ଜରିଆରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବାର ଲକ୍ଷ୍ୟ ରହିଛି । ଏହି କମିଟିକୁ ଜିଲା ପ୍ରଶାସନ ପକ୍ଷରୁ କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ପ୍ରକଳ୍ପର କାର୍ଯ୍ୟ ଏବଂ ଏହାର ବିଶେଷତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।