ନିର୍ମାଣାଧୀନ ରାସ୍ତାକୁ ହାଣି ଖେଳାଇବା ନେଇ ଉତ୍ତେଜନା

ବାହାନଗା, ୧୮ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ଅଠିଲାବାଜ ଗ୍ରାମରେ ଏମଜିଏନଆର୍‌ଇଜିଏସ୍‌ରେ ନିର୍ମାଣାଧୀନ ରାସ୍ତାକୁ ହାଣି ଜମି ସହିତ ମିଶାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀ ଏ ସମ୍ପର୍କରେ ବାହାନଗା ବିଡିଓ, ତହସିଲଦାର, ସୋର ଥାନାରେ ଅଭିଯୋଗ କରିଛନ୍ତି।
ରାଜ୍ୟ ସରକାର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକାର କାମ ଆରମ୍ଭ କରିଛନ୍ତି। ଗ୍ରାମ ଓ ବାହାର ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକମାନେ ନିଜ ଗାଁକୁ ଫେରିଆସି ଏହି କାମରେ ନିୟୋଜିତ ହୋଇଛନ୍ତି। ୫ଲକ୍ଷ ଟଙ୍କା ବ୍ୟୟରେ ଖରାସାହାପୁର ପଞ୍ଚାୟତର ରାମତାଳି ହନୁମାନ ମନ୍ଦିର ଛକଠାରୁ ଅଠିଲାବାଜ ଗ୍ରାମ କମଳାକାନ୍ତ ଦାସଙ୍କ ଘର ଛକ ପର୍ଯ୍ୟନ୍ତ ଏମ୍‌ଜିଏନଆରଇଜିଏସ୍‌ ଦ୍ୱାରା ମାଟିକାମ ଆରମ୍ଭ ହୋଇଛି। ରାସ୍ତାରେ ମାଟି ପଡି ଚଉଡା କରାଯାଉଛି । ଅଠିଲାବାଜ ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ସହଯୋଗୀଙ୍କ ସହିତ ରବିବାର ସକାଳେ ନିଜ ବିଲ କଡ ଦେଇ ଯାଉଥିବା ରାସ୍ତା ପାଖରେ ପହଞ୍ଚି ଜେସିବି ଦ୍ୱାରା ରାସ୍ତାକୁ ହାଣି ଖେଳାଇ ଦେଇଛନ୍ତି। କାମ କରୁଥିବା ଶ୍ରମିକମାନେ ଏନେଇ ବିଡିଓଙ୍କଠାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସମିତିସଭ୍ୟ ବିଜୟ ଯେନା କହିଛନ୍ତି, ୨୫ ବର୍ଷ ପୂର୍ବେ ଏହି ରାସ୍ତାକାମ ହୋଇଥିଲା। ସେତେବେଳେ ଜମି ମାଲିକ କିଛି କହି ନ ଥିଲେ। ରାସ୍ତାକଡ ଉଭୟପାର୍ଶ୍ୱରେ ଥିବା ଜମି ମାଲିକମାନେ ହାତେ ଦୁଇ ହାତ ଲେଖାଏଁ ଜମି ସମସ୍ତେ ରାସ୍ତା ପାଇଁ ଛାଡିଛନ୍ତି। ସେହି ଅନୁଯାୟୀ ଏଠାରେ ହଣାଯାଇଥିବା ବେଳେ ଉକ୍ତ ଜମିମାଲିକ ଉତ୍ତ୍ୟକ୍ତ ହୋଇ ଏପରି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଓ ତହସିଲଦାର, ସୋର ଥାନାକୁ ଜଣାଇଦିଆଯାଇଛି।

ଫଟୋ-