Categories: ରାଜ୍ୟ

ନିର୍ମାଣ ଅଧା ରଖି ବିଲ୍‌ କରିନେଲେ ସ୍ବେଚ୍ଛାସେବୀ : କାମରେ ଲାଗୁନି ପାଇଖାନା

ନାଉଗାଁ,୨୧ା୭(ସ୍ବ.ପ୍ର.): ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ପ୍ରତି ଘରେ ଘରେ ପାଇଖାନା ନିର୍ମାଣ ପାଇଁ ଗୁରୁତ୍ୱ ଦିଆଯାଉଛି। ତେବେ ନାଉଗାଁ ବ୍ଲକରେ ଏହି ଯୋଜନା ଦିଗହରା ହୋଇପଡିଥିବା ଲକ୍ଷ୍ୟ କରାଯାଉଛି। ଏହି ବ୍ଲକ ତିରୁଣା ପଞ୍ଚାୟତ ଦହିପାଳ ଗ୍ରାମର ହରିଜନ ସାହିରେ ପାଇଖାନା ନିର୍ମାଣ ଦାୟିତ୍ୱ ସ୍ବେଚ୍ଛାସେବୀମାନଙ୍କୁ ପ୍ରଦାନ କରାଯାଇଥିଲା। ୧୬ ଏପ୍ରିଲ ୨୦୧୮ରେ ଏହି ସାହିରେ ୧୦ରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ କରାଯାଇ ବିଲ୍‌ କରାଯାଇଛି। ହେଲେ ସେଥିମଧ୍ୟରୁ ଗୋଟିଏ ବି ପାଇଖାନା ବ୍ୟବହାର ହୋଇପାରୁନି। ନିମ୍ନମାନର କାର୍ଯ୍ୟ ଯୋଗୁ ବ୍ୟବହାର ପୂର୍ବରୁ ସେସବୁ ପାଇଖାନା ଭାଙ୍ଗିରୁଜି ଗଲାଣି। ପାଇଖାନା ନିର୍ମାଣ କରିଥିବା ସ୍ବେଚ୍ଛାସେବୀ ଅର୍ଥ ଆମତ୍ସାତ କରିଥିବାବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ହିତାଧିକାରୀ। ଏହି ସାହିର ଟାଙ୍ଗୁରୀ ଭୋଇ, ପ୍ରଦୀପ ଭୋଇ, ଭରତ ଭୋଇ, ଚଗଲି ଭୋଇ, ରାଜ କିଶୋର ଭୋଇ, କାଳନ୍ଦୀ ଭୋଇ, ରମେଶ ଭୋଇ, ଟୁନି ଦେଇ, ବାବୁଲି ଭୋଇ, ପାର୍ବତୀ ବଓ୍ବୋ, ନେଳୀ ବଓ୍ବୋ ପ୍ରମୁଖଙ୍କ ପାଇଖାନା ନିର୍ମାଣ ଶେଷ ହୋଇ ବିଲ୍‌ କରାଯାଇଛି। କିନ୍ତୁ ଅଧିକାଂଶ ପାଇଖାନାରେ ପ୍ୟାନ୍‌ ବସିନାହିଁ କି ଟାଙ୍କି ନାହିଁ। ସେହିପରି କେତେଜଣଙ୍କ ପାଇଖାନା କବାଟ ମଧ୍ୟ ଅଳ୍ପଦିନରେ ଭାଙ୍ଗିଗଲାଣି। ନିୟମାନୁସାରେ ପାଇଖାନା ନିର୍ମାଣ ପରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ବିଲ୍‌ ପ୍ରଦାନ କରାଯିବା କଥା। ତେଣୁ ଏଠାକୁ କେଉଁ ପ୍ରଶାସନିକ ଅଧିକାରୀ ତଦନ୍ତ କରିବାକୁ ଯାଇ ବିଲ୍‌ ପ୍ରଦାନ କରିଛନ୍ତି, ତାହା ତଦନ୍ତ ସାପେକ୍ଷ ବୋଲି ହିତାଧିକାରୀମାନେ କହିଛନ୍ତି। ବର୍ତ୍ତମାନ ବର୍ଷାଦିନ ଆସିଯାଇଥିବାରୁ ଚାରିଆଡେ ପାଣି, କାଦୁଅ ହୋଇଯିବ। ତେଣୁ କେହି ବାହାରକୁ ଶୌଚ ହେବାକୁ ଯାଇପାରିବେ ନାହିଁ। ଏଭଳି ସ୍ଥିତିରେ ପାଇଖାନା ଜରୁରୀ ହୋଇପଡିଥିବା ବେଳେ ତାହା ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ସେମାନେ ଚିନ୍ତାରେ ପଡିଛନ୍ତି। କେବଳ ଏଠାରେ ନୁହେଁ, ବ୍ଲକର ୧୬ ପଞ୍ଚାୟତରେ ସମାନ ସମସ୍ୟା ଦେଖାଦେଇଛି। ଅନେକ ପାଇଖାନା ଅଧାପନ୍ତରିଆ ହୋଇ ରହିଛି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ପଚାରିବାରେ ସେ କହିଲେ ଯେ, ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସ୍ବେଚ୍ଛାସେବୀମାନେ ପାଇଖାନା ନିର୍ମାଣ କରିଥିଲେ। ସେ ବିଷୟରେ କ’ଣ ହୋଇଛି, ଅନୁଧ୍ୟାନ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share