ନିର୍ମାଣ କାର୍ଯ୍ୟ ମାସେ ନ ପୂରୁଣୁ ଭାଙ୍ଗିଲା ଆନନ୍ଦପୁର ବ୍ରିଜ୍‌ ଛକ ରାସ୍ତା

ଆନନ୍ଦପୁର,୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ ଛକ ରାସ୍ତା ଫାଟି ଧସେଇ ଯାଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଯୋଗ୍ୟ, ଦୀର୍ଘ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଥିବା ବ୍ରିଜ୍‌ଛକ ରାସ୍ତା କାର୍ଯ୍ୟର ନବୀକରଣ କରାଯାଇଥିଲା। ଏଥି ନିମନ୍ତେ ସରକାରୀ ଜାଗାରେ ଜବରଦଖଲ କରିଥିବା ବ୍ୟବସାୟୀ ପ୍ରତିଷ୍ଠାନଗୁଡିକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା। ତେବେ ଏହି ନିର୍ମାଣ କାର୍ଯ୍ୟକୁ ମାସେ ପୂରି ନ ଥିବାବେଳେ ରାସ୍ତାର ପିଚୁ ଫାଟି ଧସିଯିବା ଭଳି ଘଟଣା ଦେଖିବାକୁ ମିଳିଛି। ଠିକାଦାରଙ୍କର ଏଭଳି ଚଞ୍ଚକତାପୂର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି। ଘଟଣା ଦିଗରେ ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।