ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ : ସାମାଜିକ ଦୂରତା ଉପରେ ଦିଆଯାଉଛି ଗୁରୁତ୍ୱ

ବନ୍ତ,୧୨ା୪(ଡି.ଏନ୍‌.ଏ.): କରୋନା ଲକ୍‌ଡାଉନ୍‌ ପାଇଁ ରାଜ୍ୟ ସରକାର ବେରୋଜଗାରୀ ନିର୍ମାଣ ଶ୍ରମିକମାନଙ୍କୁ ୧୫ ଶହ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ସହ ଏହାକୁ ଘର ଦୁଆରମୁହଁରେ ପ୍ରଦାନ କରାଯିବାର ବ୍ୟବସ୍ଥା କରିଛନ୍ତି। ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ଟି ପଞ୍ଚାୟତରେ ୬୩୫୪ ଜଣ ନିର୍ମାଣ ଶ୍ରମିକଙ୍କୁ ଏହି ସହାୟତା ରାଶି ମିଳିବ ବୋଲି ଜଣାଯାଇଛି। ଏହିକ୍ରମରେ ନିଳୋକ ପଞ୍ଚାୟତରେ ୨୧୭ଜଣ ନିର୍ମାଣ ଶ୍ରମିକ ଥିବା ବେଳେ ରବିବାରଠାରୁ ଆର୍ଥିକ ସହାୟତା ରାଶି ପ୍ରଦାନ ଆରମ୍ଭ ହୋଇଛି। ସରପଞ୍ଚ ଅଶୋକ କୁମାର ମହାନ୍ତି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ପଣ୍ଡା, ଗ୍ରାମ ରୋଜଗାର ସେବକ ପ୍ରଦୀପ କୁମାର ବିଶ୍ୱାଳ ଘର ଘର ବୁଲି ଅର୍ଥ ରାଶି ପ୍ରଦାନ କରୁଛନ୍ତି। ଦୁଇଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ସହାୟତା ରାଶି ମିଳିଯିବ ବୋଲି ସରପଞ୍ଚ କହିଛନ୍ତି। ବଡବର୍ଚ୍ଚିକୟାଁ ପଞ୍ଚାୟତରେ ସରପଞ୍ଚ ବିଷ୍ଣୁମୋହନ ଯେନା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଗୀତାରାଣୀ ପାଣିଗ୍ରାହୀ, ପିଏଜି ଅକ୍ଷୟ ପଣ୍ଡା ଘର ଘର ବୁଲି ନିର୍ମାଣ ଶ୍ରମିକମାନଙ୍କୁ ଏହି ଅର୍ଥରାଶି ବଣ୍ଟନ କରିଥିଲେ। ଏଥିରେ ସି.ଏଫ୍‌.ଡବ୍ଲ୍ୟୁ.ଏସ୍‌.ଡିର କାର୍ଯ୍ୟକାରୀ ସମ୍ପାଦକ ନୃସିଂହ ମହାନ୍ତି, ଆଇନଜୀବୀ ବସନ୍ତ ଖିଲାର ସହଯୋଗ କରିଥିଲେ। ସେହିଭଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥତ୍କ ସହାୟତା ରାଶି ପ୍ରଦାନ କରାଯାଉଥିବା ଜଣାଯାଇଛି। ଏହି ସହାୟତା ରାଶି ପ୍ରଦାନ ବେଳେ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି।