Categories: ବରଗଡ଼

ନିର୍ମାଣ ଶ୍ରମିକଙ୍କୁ ମିଳୁନି ସହାୟତା, ଶ୍ରମ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ

ବରଗଡ଼ ଅଫିସ୍‌,୮।୫-କରୋନା(କୋଭିଡ୍‌-୧୯) ଭୂତାଣୁ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରାଯାଇଛି। ଏପରିସ୍ଥିତିରେ କାମଧନ୍ଦା ବନ୍ଦ ହୋଇଯାଇ ଥିବା ଯୋଗୁ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି। ମାତ୍ର କେତେକ ନିର୍ମାଣ ଶ୍ରମିକ ସେମାନଙ୍କ ପଞ୍ଜିକରଣକୁ ନବୀକରଣ କରିପାରି ନ ଥିବା ଯୋଗୁ ସେମାନେ ସହାୟତାରୁ ବଞ୍ଚିତ ହେଉଛନ୍ତି। ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘଦିନରୁ ଆବେଦନ କରିଥିଲେ ସୁଦ୍ଧା ବିଭାଗୀୟ ଅବହେଳା ଯୋଗୁ ସେମାନଙ୍କ ପଞ୍ଜିକରଣକୁ ନବୀକରଣ କରାଯାଉ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏ ନେଇ ଶୁକ୍ରବାର ବରଗଡ଼ ବ୍ଲକ ବରଡ଼ୋଲ ପଞ୍ଚାୟତ ନଦୀପଡ଼ାର ନିର୍ମାଣ ଶ୍ରମିକମାନେ ବରଗଡ଼ ଜିଲା ଶ୍ରମ ଅଧିକାରୀ ହେମନ୍ତ କୁମାର ପ୍ରଧାନଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ଜିଲା ସଂଯୋଜକ ଭବାନୀ ପ୍ରସାଦ ସାହୁ,  ଯମୁନା ଗହୀର, ରୋହିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।