ନିର୍ମାଣ ହେଉନି ଯାତ୍ରୀ ବିଶ୍ରାମାଗାର: ପଥଚାରୀ ହନ୍ତସନ୍ତ

ବଇଣ୍ଡା,୧୮।୫(ଡି.ଏନ.ଏ.)-୫୫ ନଂ. ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ବିଭିନ୍ନ ଛକରେ ଥିବା ଯାତ୍ରୀ ବିଶ୍ରାମଗାର ଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ସେହିପରି ରାସ୍ତାର ଉଭୟ ପାର୍ଶ୍ୱରୁ ମଧ୍ୟ ବହୁ ଗଛ ଗୁଡ଼ିକୁ କାଟି ଦିଆଯାଇଛି। ଫଳରେ ଦୂରଦୂରାନ୍ତକୁ ଯାଉଥିବା ଯାତ୍ରୀମାନେ ବିଶ୍ରାମଗାର ନ ଥିବା ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ଜାମ୍ବୁନାଳୀଠାରୁ ବାମୁର ପର୍ଯ୍ୟନ୍ତ ୩୮ କିମି ରାସ୍ତାରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ୫୫ ନଂ. ଜାତୀୟ ରାଜପଥ ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ହେଉଥିବା ଯୋଗୁ ବାମୁର, ହଣ୍ଡପା, ଡେବେରାପାଲି, ଲୁହାମୁଣ୍ଡା, ବଇଣ୍ଡା ଛକ, ଜାମ୍ବୁନାଳୀ ଆଦି ଛକ ଗୁଡ଼ିକରେ ଥିବା ବିଶ୍ରାମଗାର ଗୁଡ଼ିକ ଏକ ଠିକାସଂସ୍ଥା ତରଫରୁ ଭାଙ୍ଗି ଦିଆଯାଇଛି। ଦୀର୍ଘ ୧ ବର୍ଷ ହେବ ଏସବୁ ବିଶ୍ରାମଗାର ଗୁଡ଼ିକ ଭାଙ୍ଗି ଦିଆଯାଇଥିବାବେଳେ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନାହିଁ। ସେହିପରି ଠିକାସଂସ୍ଥା ପକ୍ଷରୁ କୌଣସି ଅସ୍ଥାୟୀ ଯାତ୍ରୀ ବିଶ୍ରାମଗାର ମଧ୍ୟ ନିର୍ମାଣ ହୋଇନାହିଁ। ଫଳରେ ସମ୍ବଲପୁର, ଅନୁଗୋଳ, ରେଢାଖୋଲ, ଢେଙ୍କାନାଳ, ଆଠମଲ୍ଲିକ ଅଞ୍ଚଳକୁ ଯାଉଥିବା ଯାତ୍ରୀମାନେ ପ୍ରବଳ ଖରାରେ ବସକୁ ଅପେକ୍ଷା କରି ହନ୍ତସନ୍ତ ହେଉଛନ୍ତି। ଠିକାସଂସ୍ଥା ପକ୍ଷରୁ ଅସ୍ଥାୟୀ ବିଶ୍ରାମଗାର ନିର୍ମାଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏଥିପ୍ରତି ଠିକାସଂସ୍ଥା ଓ ଜିଲା ପ୍ରଶାସନ ଯାତ୍ରୀଙ୍କ ସୁବିଧା ପାଇଁ ବଇଣ୍ଡା ନାଗରିକ ମଞ୍ଚ ପକ୍ଷରୁ ଆଇନଜୀବୀ ମାଧମ ଚନ୍ଦ୍ର ସାହୁ, ଉଗ୍ରସେନ ସେଠୀ, ପ୍ରତାପ ପ୍ରଧାନ, ଭଗବାନ ଘିଓ୍ବାଲା, ରମାକାନ୍ତ ବେହେରା, ଲିଙ୍ଗରାଜ ବିଶ୍ୱାଳ, ଆଲୋକ ବେହେରା, ସନ୍ଦିପ ବେହେରା ପ୍ରମୁଖ ଦାବି କରିଛନ୍ତି।