ଜୟପୁର,୧୨ା୩(ପି.ଟି.): ମଧ୍ୟପ୍ରଦେଶରେ ଭାଜପା ଅର୍ଥ ବଳରେ ନିର୍ଲଜ୍ଜ ଭାବେ ଘୋଡ଼ାବେପାର ଚଳାଇଛି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବୁଧବାର କହିଛନ୍ତି। ଯେଉଁମାନେ ଦେଶକୁ ଶାସନ କରୁଛନ୍ତି, ସେମାନେ ଗଣତନ୍ତ୍ରର ହତ୍ୟା କରୁଛନ୍ତି। ଦେଶ ସେମାନଙ୍କୁ ଉଚିତ ଶିକ୍ଷା ଦେବ ବୋଲି ଗେହଲଟ ଜୟପୁର ବିମାନବନ୍ଦରରେ ଖବରଦାତାମାନଙ୍କୁ କହିଛନ୍ତି।
‘କମଲନାଥ ଜିତିବେ ଆସ୍ଥାଭୋଟ’
ମଧ୍ୟପ୍ରଦେଶ ବିଧାନସଭାରୁ ଏହି ଦଳର ୨୨ ବିଧାୟକ ଇସ୍ତଫା ଦେଇଛନ୍ତି। ଏହା ସତ୍ତ୍ୱେ କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଆସ୍ଥାଭୋଟ ଜିତିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ୨୨ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୧୩ ଜଣ କଂଗ୍ରେସ ଛାଡ଼ି ନ ଥିବା ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସେ କହିଛନ୍ତି।